ବିଦିତାଙ୍କ ପାଇଁ ଭଲ ବର୍ଷ : ଦ୍ୱିତୀୟ ଛବିରେ ମିଳିଲା ପୁରସ୍କାର

ଉଭୟ ବଲିଉଡ୍‌ ଓ ଓଲିଉଡରେ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି ବିଦିତା ବାଗ୍‌ । ସେ ଏଯାବତ୍‌ ମାତ୍ର ଦୁଇଟି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । କିନ୍ତୁ ଉଭୟ ଫିଲ୍ମ ପାଇଁ ଖୁବ୍‌ ଚର୍ଚ୍ଚିତା ହୋଇଛନ୍ତି ।

ବିଦିତା ଓଲିଉଡରେ ନେଇଥିଲେ ୨୦୧୪ରେ । ସେହି ବର୍ଷ ପ୍ରଯୋଜକ ଅତିଶ କୁମାର ରାଉତ ଓ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ବିଦିତାଙ୍କୁ ଓଡ଼ିଆ ସିନେମାରେ ପ୍ରଥମେ ସୁଯୋଗ ଦେଇଥିଲେ । ୨୦୧୫ରେ ମୁକ୍ତିଲାଭ କରିଥିବା ମୌଳିକ କାହାଣୀ ଉପରେ ଆଧାରିତ ଏକ ଓଡ଼ିଆ ଛବି ‘ଭଉଁରି’ରେ ପ୍ରଥମେ ନାୟିକା ଭୂମିକା ନିଭାଇଥିଲେ । ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାମ ଥିଲା ଜହ୍ନ । ଏଥିରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ବନିଥିଲେ ବିଦିତା । ଏହି ଓଡ଼ିଆ ସିନେମାରେ ତାଙ୍କୁ ଜଣେ ଆଦିବାସୀ ଯୁବତୀ ଭୂମିକାରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ । ଏହି ଚରିତ୍ରକୁ ଜୀବନ୍ତ କରି ତୋଳିଥିବା ହେତୁ ବିଦିତା ଉଚ୍ଚ ପ୍ରଶଂସିତା ହୋଇଥିଲେ ।

ପ୍ରାୟ ଦୁଇ ବର୍ଷ ପରେ ବିଦିତା ଫେରିଥିଲେ ଓଲିଉଡକୁ । ହଁ, ତାଙ୍କ ଅଭିନୀତ ଦ୍ୱିତୀୟ ଓଡ଼ିଆ ସିନେମା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । ଏହି ସିନେମାରେ ଶୀର୍ଷକ ହେଲା ‘ ନାମର୍ଦ’। ଅଜୟ ରଥଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ବିଦିତା ଜଣେ ଦୁଷ୍କର୍ମ ପୀଡ଼ିତା ଯୁବତୀ ଭୂମିକାରେ ଅଭିନୟ କରିଛନ୍ତି । ଏହି ସିନେମାରେ ବିଦିତା ଜଣାଶୁଣା ଅଭିନେତା ସମରେଶ ରାଉତରାୟଙ୍କ ବିପକ୍ଷରେ ଅଛନ୍ତି । ତେବେ ଏଥିରେ ଏକ ସାମାଜିକ ସନ୍ଦେଶ ଦେଇଛନ୍ତି ବିଦିତା ବାଗ୍‌ । ସବୁଠୁ ବଡ଼ କଥା ହେଲା ବିଦିତା ‘ନାମ୍‌ର୍ଦ’ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ସ୍ୱତନ୍ତ୍ର ଜୁରୀ ପୁରସ୍କାର ଲାଭ କରିଛନ୍ତି । ଏ ଦୃଷ୍ଟିରୁ ବିଦିତାଙ୍କର ଏ ବର୍ଷ ଓଲିଉଡକୁ ସଫଳ ପ୍ରତ୍ୟାବର୍ତ୍ତନ ଥିଲା ବୋଲି କୁହାଯାଇପାରିବ ।

ସମ୍ବନ୍ଧିତ ଖବର