ଏଥର ମକରରେ ବାବୁଶାନ୍‌ କାହା ସହିତ କରିବେ ‘ଓନ୍‌ଲି ପ୍ୟାର୍‌’ ଜାଣନ୍ତୁ

ଏ ଶୀର୍ଷକ ପଢ଼ି ଭାବନ୍ତୁନି ଯେ ଆମେ ଏଇ ମକରରେ ଆପଣଙ୍କୁ କେବଳ ପ୍ୟାର୍‌ ବା ପ୍ରେମ କରିବାକୁ ପ୍ରସ୍ତାବ ବା ଉପଦେଶ ଦେଉଛୁ! ଅସଲ କଥା ହେଉଛି, ଏଇ ମକରରେ, ଅର୍ଥାତ୍‌ ଜାନୁଆରି ୧୪ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଓନ୍‌ଲି ପ୍ୟାର୍‌’। ମେଗାଷ୍ଟାର୍‌ ବାବୁଶାନ୍‌ଙ୍କ ଅଭିନୀତ ଏ ଫିଲ୍ମର ପ୍ରଯୋଜକ ହେଉଛନ୍ତି ସୁନୀଲ କୁମାର ଦାଶ, ନିର୍ଦ୍ଦେଶକ ଅଛନ୍ତି ତାପସ ସଘରିଆ। ଫିଲ୍ମଟିକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର୍‌।

‘ଓନ୍‌ଲି ପ୍ୟାର୍‌’ରେ ବାବୁଶାନ୍‌ଙ୍କ ନାୟିକା ହୋଇଛନ୍ତି ସୁପ୍ରିୟା। ସୁପ୍ରିୟାଙ୍କର ଇଏ ଦ୍ୱିତୀୟ ଫିଲ୍ମ। ଏ ଦୁହିଁଙ୍କ ସହିତ ଫିଲ୍ମରେ ଆହୁରି ଅଛନ୍ତି ମିହିର ଦାସ, ଅପରାଜିତା, ପ୍ରଜ୍ଞା, ଚୌଧୁରୀ ବିକାଶ ଦାସ ଓ ଚୌଧୁରୀ ଜୟପ୍ରକାଶ ଦାସ। ଏହି ପରିଚିତ କଳାକାର ଓ ତାରକାମାନଙ୍କ ସହିତ ଫିଲ୍ମରେ ଆହୁରି ଅଛନ୍ତି ଦଳେ ଛୋଟପିଲା, ଯେଉଁମାନେ ଫିଲ୍ମର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛନ୍ତିି ବୋଲି କୁହା ଯାଉଛି।

‘ଓନ୍‌ଲି ପ୍ୟାର୍‌’ ଯେ ଏକ ରୋମାଣ୍ଟିକ୍‌ କାହାଣୀ ହୋଇଥିବ, ଶୀର୍ଷକକୁ ଦେଖିଲେ ସେଥିରେ କାହାର ସନ୍ଦେହ ରହିବା ଉଚିତ ନୁହେଁ। ଏଥିରେ ଅଛି ମୋଟ୍‌ ୬ଟି ମନଛୁଆଁ ଗୀତ। ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ ଯେ ଏହି ଗୀତଗୁଡ଼ିକ ପାଇଁ ଯଥେଷ୍ଟ ସମୟ ଓ ଶ୍ରମ ଦିଆ ଯାଇଛି। ଉଲ୍ଲେଖନୀୟ ଯେ ଗୀତଗୁଡ଼ିକର ସୁଟିଂ ପାଇଁ ଏଥିରେ କୌଣସି ସ୍ୱତନ୍ତ୍ର ସିଡ୍ୟୁଲ୍‌ ରଖା ଯାଇ ନ ଥିଲା, ଫିଲ୍ମର ସୁଟିଂ ସହିତ ଗୀତ ମଧ୍ୟ କରା ଯାଉଥିଲା। ସେଥିପାଇଁ କୋରିଓଗ୍ରାଫର୍‌ ଗିରିଶ ମହାନ୍ତି ସୁଟିଂ ୟୁନିଟ୍‌ ସହିତ ପ୍ରାୟତଃ ପ୍ରଥମରୁ ଶେଷଯାଏ ରହିଥିଲେ। ଆଉ ଗୋଟିଏ ବିଶେଷ କଥା ହେଉଛି, ଏ ଫିଲ୍ମଟିର ପାଖାପାଖି ପୂରା ସୁଟିଂ କର୍ଣ୍ଣାଟକର କୁର୍ଗ ଜିଲ୍ଲାରେ ଥିବା ହିଲ୍‌ଷ୍ଟେସନ୍‌ରେ କରା ଯାଇଛି।

ସମ୍ବନ୍ଧିତ ଖବର