ଓଡ଼ିଆ ଚଳଚ୍ଚିତ୍ର ଉପେକ୍ଷିତ

ସିନେମା ହଲ୍‌ର ସଂଖ୍ୟା କ୍ରମଶଃ କମି କମି ୩୫ଟିରେ ପହଞ୍ଚିଛି। ଅନ୍ୟପଟେ ମଲ୍‌ଟିପ୍ଲେକ୍ସ ଖୋଲିବା ପରେ ସିଙ୍ଗଲ୍‌ ଥିଏଟର୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ଜଳଜଳ ହୋଇ ଦେଖାଯାଉଛି। ସରକାର ବିଦ୍ୟୁତ କିମ୍ବା ଟ୍ୟାକ୍ସରେ ସବ୍‌ସିଡ୍‌ ପ୍ରଦାନ କରି ନଥିବାରୁ ଥିଏଟର୍‌ ମାଲିକ ଏବେ ଦେବାଳିଆ ସ୍ଥିତି ଦେଇ ଗତି କରୁଛନ୍ତି। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଟିଭି ଚ୍ୟାନେଲ୍‌ଗୁଡିକ ନିଜେ ଫିଲ୍ମ ନିର୍ମାଣ କରି ନିଜ ଚ୍ୟାନେଲ୍‌ରେ ପ୍ରଦର୍ଶିତ କରିବା ଫଳରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଛି।

ରାଜନୀତିରେ ଅନେକ କଳାକାର ଯୋଗ ଦେବାପରେ ଚଳଚ୍ଚିତ୍ର ପ୍ରେମୀ, କଳାକାର ଓ ପ୍ରଯୋଜକମାନେ ଅନେକ କିଛି ଆଶା କରିଥିଲେ। ହେଲେ ସେହି ଆଶା କିନ୍ତୁ ଆଶାରେ ରହିଯାଇଛି। ଚଳଚ୍ଚିତ୍ର ନିର୍ମାଣ କଲେ ପ୍ରଯୋଜକଙ୍କୁ ୩.୫ଲକ୍ଷ ଟଙ୍କାର ସବ୍‌ସିଡି ମିଳିବାର ନିୟମ ରହିଛି। ହେଲେ ଭାଗ୍ୟର ବିଡ଼ମ୍ବନା ହେଉ କି କାହାରି ଚକ୍ରାନ୍ତ, ବିଗତ ୧୫ବର୍ଷ ହେଲା ପ୍ରଯୋଜକଙ୍କୁ ଟଙ୍କାଟିଏ ମଧ୍ୟ ମିଳିନି।

ଆକଳନ ଅନୁଯାୟୀ, ବିଗତ ୧୫ ବର୍ଷରେ ୪୦୦ରୁ ଅଧିକ ଫିଲ୍ମ ନିର୍ମାଣ ହେଇଛି। ତେବେ ଏହାରି ଭିତରେ ପ୍ରଯୋଜକଙ୍କୁ ସବ୍‌ସିଡ୍‌ ମିଳି ନ ଥିଲା ବେଳେ ସେହି ଟଙ୍କାର ଠିକଣା ଏବେ ବି ରହସ୍ୟଘେରରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକରେ ଚଳଚ୍ଚିତ୍ର ଶିଳ୍ପକୁ ସରକାର ଟିକସ୍‌ରେ ରିହାତି ଦେଉଥିବା ବେଳେ ଓଡ଼ିଶାରେ ଏପରି କୌଣସି ବ୍ୟବସ୍ଥା ହୋଇନାହିଁ। ଚଳଚ୍ଚିତ୍ର ଜଗତ ନାନା ସମସ୍ୟା ଦେଇ ଗତି କରୁଥିଲା ବେଳେ ରାଜ୍ୟ ସରକାର କେବଳ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇ ବସିପଡ଼ିଛନ୍ତି। ଏପରି ସ୍ଥିତିରେ ଚଳଚ୍ଚିତ୍ର ଶିଳ୍ପର କିପରି ଉନ୍ନତି ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଅନେକ ଅଜଣା କଥା ଓ ବ୍ୟଥା ଆଗାମୀ ଦିନରେ ଅବଶ୍ୟ ସିନେପ୍ରେମୀଙ୍କ ନଜରକୁ ଆସିବ।

ସମ୍ବନ୍ଧିତ ଖବର