ଶିଶୁ କଳାକାରରୁ ଆରମ୍ଭ ନିର୍ଦ୍ଦେଶନାରେ ଶେଷ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବର୍ଷୀୟାନ୍‌ ଅଭିନେତ୍ରୀ-ପ୍ରଯୋଜିକା- ନିର୍ଦ୍ଦେଶିକା ପାର୍ବତୀ ଘୋଷ ଶିଶୁ କଳାକାରଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରକୃତ ନାମ ଚପଳା ନାୟକ। ସେ ରୁପଭାରତୀ ଲିମିଟେଡ ନିବେଦିତ ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ପ୍ରଥମେ ନଜର ଆସିଥିଲେ। ଏହି ସିନେମାରେ ତାଙ୍କୁ ନୀଳମାଧବ ଭୂମିକାରେ ଦେଖିବାକୁ ମିଳିଥିଲା। ଗାୟକ ଧୀରେନ୍‌ ଦାସ ତାଙ୍କୁ ଏହି ସୁଯୋଗ ଦେଇଥିଲେ। ସେ ଆମରି ଗାଆଁ ଝୁଅ, କେଦାର ଗୌରୀ, ମା,ଭାଇଭାଇ, ସ୍ତ୍ରୀ ,ଲକ୍ଷ୍ମୀ, କା, ଛ’ମାଣ ଆଠଗୁଣ୍ଠ ଆଦି ସିନେମାରେ ନାୟିକା ଭୂମିକା ନିଭାଇଥିଲେ।

ସେ ପ୍ରଖ୍ୟାତ ଅଭିନେତା-ପ୍ରଯୋଜକ ଗୌର ଘୋଷଙ୍କୁ ବିବାହ କରିବାପରେ ପାର୍ବତୀ ନାମରେ ପରିଚିତା ହୋଇଥିଲେ। ପତି-ପତ୍ନୀ ଗୌର-ପାର୍ବତୀ ମିଳିତଭାବେ ବେଶ କେତୋଟି ଓଡ଼ିଆ ଛବିର ନିର୍ମାଣ ବି କରିଥିଲେ। ତେବେ ପାର୍ବତୀ କେବଳ ଗୋଟିଏ ସିନେମାର ନିର୍ଦ୍ଦେଶନା ଦେଇଥିଲେ । ଏହା ହେଲା ‘ଛ’ମାଣ ଆଠଗୁଣ୍ଠ ’। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ଉପରେ ଆଧାରିତ ‘ଛ’ମାଣ ଆଠଗୁଣ୍ଠ’ ରେ ଶାରିଆ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଶରତ ପୂଜାରୀ ଏବଂ ମାମୀନା ପ୍ରମୁଖ ଅଭିନୟ କରିଥିଲେ। ଛ’ମାଣ ଆଠଗୁଣ୍ଠରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର।

ଓଡ଼ିଶା ରାଜ୍ୟ ସରକାର ପାର୍ବତୀ ଘୋଷଙ୍କୁ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ବି ସମ୍ମାନିତ କରିଥିଲେ । ଏହି ଲୋକପ୍ରିୟ ସିନେ ବ୍ୟକ୍ତିତ୍ୱଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ରଜଗତ ପାଇଁ ଧକ୍କା ସଦୃଶ । ପାର୍ବତୀ ଘୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସମ୍ବାଦ ଡଟ୍‌ ଇନ୍‌ ।

ସମ୍ବନ୍ଧିତ ଖବର