ବଜେଟ ୫୦୦କୋଟି, ରିଲିଜ୍ ପୂର୍ବରୁ ୧୨୫କୋଟି ଆୟ କଲା ‘ପୋନିୟିନ୍ ସେଲଭନ୍’

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନିୟିନ୍ ସେଲଭନ୍’ର ପ୍ରଥମ ଲୁକ୍ ରିଲିଜ୍ ହେବ‌ା ପରେ ସିନେପ୍ରେମୀମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ହୋଇଯାଇଥିଲେ। କିଛି ଦିନ ତଳେ ତାମିଲ ସିନେମାର ଏହି ବଡ଼ ପ୍ରୋଜେକ୍ଟର ଟ୍ରେଲର ରିଲିଜ ହୋଇଥିବା ବେଳେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ିଛି। ଫିଲ୍ମର ପ୍ରତିଟି ଚରିତ୍ରକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ରାଜ୍ କରିବ ବୋଲି କୁହାଯାଉଛି।

‘ପୋନିୟିନ୍ ସେଲଭନ୍’ ଭାରତୀୟ ସିନେମା ଜଗତର ସବୁଠାରୁ ଦାମୀ ଚଳଚ୍ଚିତ୍ର ହେବ ବୋଲି କୁହାଯାଉଥିବା ବେଳେ ୫୦୦କୋଟି ବଜେଟରେ ଫିଲ୍ମର ନିର୍ମାଣ କରାଯାଇଛି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମଟି ୧୨୫କୋଟି ଆୟ କରିସାରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଆମାଜନ ପ୍ରାଇମ ଭିଡିଓ ‘ପୋନିୟିନ ସେଲଭାନ’ର ଓଟିଟି ରାଇଟ୍ସକୁ ୧୨୫କୋଟିରେ କିଣିଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ୧୨୫କୋଟିର ଆୟ କରିସାରିଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଏହି ଚଳଚ୍ଚିତ୍ରରେ ଅଭିନେତା ଚିଆନ୍ ବିକ୍ରମ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିନେତ୍ରୀ ତ୍ରିଶା, ଅଭିନେତା ଜୟମ ରବି ଏବଂ ଅଭିନେତା କାର୍ତ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ସହ ଅଭିନେତା ପ୍ରକାଶ ରାଜ, ଅଭିନେତ୍ରୀ ଶୋଭିତା ଧୁଲିପାଲା, ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଅଭିନେତା ପ୍ରଭୁ, ଅଭିନେତା ଜୟରାମ ଏବଂ ଅଭିନେତା ଲାଲଙ୍କ ଭଳି କଳାକାରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ‘ପୋନିୟିନ୍ ସେଲଭନ୍’୨ଟି ଭାଗରେ ରିଲିଜ୍ ହେବାକୁ ଯାଉଛି। ସେପ୍ଟେମ୍ବର ୩୦ରେ ଏହାର ପ୍ରଥମ ଭାଗ ପ୍ରେକ୍ଷାଳୟରେ ରିଲିଜ ହେବା ସହ ଦ୍ୱିତୀୟ ଭାଗ କିଛି ମାସ ପରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର