ସୁଟିଂ ସେଟରେ ଧୂମପାନ କରି ପ୍ରଶଂସକଙ୍କଠାରୁ ଗାଳି ଖାଇଥିଲେ ‘ରାମାୟଣ’ର ରାମ

ମୁମ୍ବାଇ: ଯେତେବେଳେ ଅଭିନେତା ଅରୁଣ ଗୋବିଲ ‘ରାମାୟଣ’ରେ ଭଗବାନ ଶ୍ରୀରାମଙ୍କ ଭୂମିକା ନିଭାଇଥିଲେ, ସମସ୍ତେ ତାଙ୍କୁ ପ୍ରକୃତରେ ଭଗବାନ ବୋଲି ବିବେଚନା କରୁଥିଲେ। ଅରୁଣଙ୍କ ମଧ୍ୟରେ ଦର୍ଶକ ପ୍ରଭୁ ଶ୍ରୀରାମଙ୍କୁ ଦେଖୁଥିଲେ। କେବଳ ଏତିକି ନୁହେଁ, ଲୋକମାନେ ତାଙ୍କ ଫଟୋକୁ ମନ୍ଦିରରେ ରଖି ପୂଜା ଆରମ୍ଭ କରିଥିଲେ। ଏବେ ବି ରାମାୟଣରେ ରାମଙ୍କ ଚରିତ୍ର ନିଭାଇଥିବା ଅରୁଣଙ୍କୁ ଲୋକେ ଭଗବାନଙ୍କ ଭଳି ପୂଜା କରନ୍ତି। ସର୍ବସାଧାରଣରେ ତାଙ୍କୁ ଦେଖିଲେ ଲୋକେ ଗୋଡ଼ ତଳେ ପଡ଼ିଯାଆନ୍ତି, ଯାହାର ଭିଡିଓ ଅତୀତରେ ଭାଇରାଲ ହୋଇସାରିଛି।

ତେବେ ଏତେ ଲୋକପ୍ରିୟତା ପରେ ଏବେ ଅରୁଣଙ୍କୁ ନେଇ ଏକ ବଡ଼ କଥା ସାମ୍ନାକୁ ଆସିଛି। ଅରୁଣ ସୁଟିଂ ସେଟରେ ଧୂମପାନ କରୁଥିଲେ ବୋଲି ଜଣାପଡ଼ିଛି। ଏମିତି କି ଧୂମପାନ କରୁଥିବାର ଦେଖି ତାଙ୍କୁ ଜଣେ ଗାଳି କରିଥିବା ‌ମଧ୍ୟ ସାମ୍ନାକୁ ଆସିଛି। ନିଜର ଏହି ଭୁଲ୍ ବିଷୟରେ ଅରୁଣ ଗୋବିଲ୍ ନିଜେ ସମସ୍ତଙ୍କୁ ଜଣାଇଥିଲେ। ‘ଦି କପିଲ୍ ଶର୍ମା’ ସୋ’କୁ ଆସି ଅରୁଣ କହିଥିଲେ, ଥରେ ମୁଁ ତାମିଲ ଚଳଚ୍ଚିତ୍ରର ସୁଟିଂ ପାଇଁ ଦକ୍ଷିଣ ଭାରତରେ ଥିଲି, ଯେଉଁଥିରେ ମୁଁ ଭଗବାନ ବାଲାଜୀଙ୍କ ଭୂମିକାରେ ଅଭିନୟ କରୁଥିଲି। ସୁଟିଂ ସମୟରେ ଧୂମପାନ କରିବାକୁ ଇଚ୍ଛା ହେବାରୁ ମୁଁ ବାହାରକୁ ଯାଇ ଧୂମପାନ କରୁଥିଲି। ଏହି ସମୟରେ ଜଣେ ବ୍ୟକ୍ତି ମୋତେ ତାମିଲ ଭାଷାରେ କିଛି କହି ସେଠାରୁ ଚାଲିଗଲେ। ସେଟକୁ ଆସି ମୁଁ ମୋର ସହ କଳାକାରଙ୍କୁ ତାହା ଜଣାଇଥିଲି। ସେ ମୋତେ ଅନୁବାଦ କରି ପୂରା କଥାଟି ବୁଝାଇଥିଲେ। ଆମେ ଆପଣଙ୍କୁ ଭଗବାନ ଭାବରେ ପୂଜା କରୁଛୁ ଏବଂ ଆପଣ ଏଠାରେ ଧୂମପାନ କରୁଛନ୍ତି ବୋଲି ବ୍ୟକ୍ତିଜଣକ କହିଥିବା କଥା କହିଥିଲେ ସହକଳାକାର। ଏହା ପରେ ମୁଁ ଧୂମପାନ ଛାଡ଼ିଦେଇଥିଲି।

ସମ୍ବନ୍ଧିତ ଖବର