ଉତ୍ତର ଦେଲେ ରଶ୍ମିକା : କ୍ୟାମେରା ଲଗାଇ ନିଜର ବ୍ୟକ୍ତିଗତ ଜୀବନ ସମସ୍ତଙ୍କୁ ଦେଖାଇହେବ ନାହିଁ

ଶେଷଥର ବିକାଶ ବହଲଙ୍କ ‘ଗୁଡ୍‌ବାଏ’ ଚଳଚ୍ଚିତ୍ରରେ ଦେଖାଦେଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା କ୍ରୋଧ ଜର୍ଜର ନିନ୍ଦୁକମାନଙ୍କୁ ଶେଷରେ ଉତ୍ତର ଦେଇଛନ୍ତି। କଥା କ’ଣ କି, କିଛିଦିନ ପୂର୍ବରୁ ରଶ୍ମିକା ଗଣମାଧ୍ୟମକୁ କହିଥିଲେ ଯେ ସେ ‘କାନ୍ତାରା’ ଚଳଚ୍ଚିତ୍ର ଦେଖିନାହାନ୍ତି। ଏହି କଥାଟି ‘କାନ୍ତାରା’ର କିଛି ଅନ୍ଧ ପ୍ରଶଂସକଙ୍କୁ ଏତେ ମର୍ମାହତ କଲା ଯେ ସେମାନେ ରଶ୍ମିକାଙ୍କୁ ଭର୍ତ୍ସନା କରି ଘୃଣାପୂର୍ଣ୍ଣ ମେସେଜ ପଠାଇବା ଆରମ୍ଭ କରିଥିଲେ। ଏବେ କିନ୍ତୁ ଏହି କନ୍ନଡ଼ ତାରକା ଉକ୍ତ ଚଳଚ୍ଚିତ୍ରଟିକୁ ଦେଖିସାରିଛନ୍ତି ଏବଂ ଚଳଚ୍ଚିତ୍ରର ସଫଳତା ନେଇ ଏହାର ଟିମ୍‌କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଛନ୍ତି।

ତାଙ୍କ ପ୍ରତି ଘୃଣା ବ୍ୟକ୍ତ କରୁଥିବା ଲୋକଙ୍କୁ ତାଙ୍କର ଉତ୍ତର ହେଲା ସେମାନଙ୍କ ଲାଗି ତାଙ୍କ ମନରେ କେବଳ ଭଲପାଇବା ଅଛି। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଜୀବନରେ କ’ଣ ଚାଲିଛି ତାହା ଲୋକମାନେ ଜାଣନ୍ତି ନାହିଁ; ସେ କ୍ୟାମେରା ଲଗାଇ ନିଜର ବ୍ୟକ୍ତିଗତ ଜୀବନ ସମସ୍ତଙ୍କୁ ଦେଖାଇପାରିବେ ନାହିଁ। ତେବେ ଲୋକେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯାହା କୁହନ୍ତି ତାହା ତାଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ, ତାଙ୍କ ପେସାଦାର ଜୀବନକୁ ନେଇ ଲୋକଙ୍କ ମନ୍ତବ୍ୟ କିନ୍ତୁ ତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ତାଙ୍କ ପେସାଦାର ଜୀବନ ଆଗକୁ ‘ମିଶନ ମଜନୁ’ ଚଳଚ୍ଚିତ୍ରର ମୁକ୍ତିଲାଭ ଦେଖିବ, ଯେଉଁଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଅଭିନୟ କରିଛନ୍ତି। ତା’ ସହିତ ତାଙ୍କ ହାତରେ ଅଛି ରଣବୀର କପୁରଙ୍କ ସହିତ ‘ଆନିମଲ୍‌’ ଏବଂ ‘ପୁଷ୍ପା’ର ପରବର୍ତ୍ତୀ ସଂସ୍କରଣ।

ସମ୍ବନ୍ଧିତ ଖବର