‌ଜଣେ ସ୍ବପ୍ନଭୁକର ହୃଦୟ ବିଦାରକ ଅନ୍ତ ! ଟ୍ବିଟର୍‌ରେ ବୁଲୁଛି ସୁଶାନ୍ତଙ୍କ ୫୦ଟି ସ୍ବପ୍ନର ତାଲିକା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ସଂପର୍କିତ ବିଭିନ୍ନ କଥା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ତାଙ୍କର କିଛି ସ୍ବପ୍ନକୁ ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କର କିଛି ସ୍ବପ୍ନ ସୋସିଆଲ୍‌ ମିଡିଆରେ ଘୂରି ବୁଲିବାରେ ଲାଗିଛି। ସୁଶାନ୍ତି ଅତୀତରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ତାଙ୍କର ୫ଟା ସ୍ବପ୍ନ ବିଷୟରେ ଲେଖିଥିଲେ। ସେ ଟ୍ବିଟ୍‌ କରିଥିବା ତାଙ୍କର ସେହି ସ୍ବପ୍ନଗୁଡ଼ିକ ଏବେ ସୋସିଆଲ୍‌ ମିଡିଆରେ ଛାଇ ରହିଛି।

ସୁଶାନ୍ତଙ୍କ ପ୍ରଥମ ସ୍ବପ୍ନ ଥିଲା ବିମାନ ଚଳାଇବା। ବାମ ହାତରେ କ୍ରିକେଟ୍‌ ଖେଳିବା ଥିଲା ତାଙ୍କର ଅନ୍ୟତମ ସ୍ବପ୍ନ। ମହାକାଶ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବା ତାଙ୍କର ସ୍ବପ୍ନଗୁଡ଼ିକ ମଧ୍ୟରୁ ଗୋଟାଏ ଥିଲା। ଜଣେ ଚାମ୍ପିୟନ୍‌ ସହିତ ଟେନିସ୍‌ ଖେଳିବା ବି ସୁଶାନ୍ତଙ୍କର ଏକ ସ୍ବପ୍ନ ଥିଲା। ଘୋଡ଼ା ଚଳାଇବା, ଅତି କମ୍‌ରେ ୧୦ଟି ନୃତ୍ୟ ଫର୍ମ ଶିଖିବା, ଗିଟାର ବଜାଇବା, ମାଗଣା ଶିକ୍ଷା ପାର୍ଇ କାର୍ଯ୍ୟ କରିବା, ଆଣ୍ଟ୍ରାକ୍‌ଟିକା ଭ୍ରମଣ କରିବା ଆଦି ମଧ୍ୟ ସୁଶାନ୍ତଙ୍କର ଗୋଟାଏ ଗୋଟାଏ ସ୍ବପ୍ନ ଥିଲା। ଜଣେ ସ୍ବପ୍ନ ଦେଖାଳିଙ୍କର ହୃଦୟ ବିଦାରକ ଶେଷ ବୋଲି ଟ୍ବିଟର୍‌ରେ ବ୍ୟବହାରକାରୀମାନେ ସୁଶାନ୍ତଙ୍କ ପୋଷ୍ଟ୍‌କୁ ସେୟାର୍‌ କରି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ରବିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ଦୀର୍ଘ ଦିନ ଧରି ବିଶାଦଗ୍ରସ୍ତ ରହି ଶେଷରେ ସେ ଜୀବନ ହାରିଛନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର