ଦ କାଶ୍ମୀର ଫାଇଲ୍‌ସ ଆକାଶଛୁଆଁ: ୩୦୦ କୋଟି କ୍ଲବ୍‌ରେ ସାମିଲ୍ ହେବ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ମିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍‌ସ’ ୨୦୦ ଟପି ୩୦୦ କୋଟି କ୍ଲବ୍‌ରେ ସାମିଲ୍ ହେବାକୁ ଅଗ୍ରସର ହେଉଛି। ଏପାଖେ ଏହାକୁ ନେଇ ବିବାଦ ଉପୁଜୁଥିବା ବେଳେ ସେପାଖେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି। କିଏ ସିନେମା ହଲ୍‌ରୁ ବାହାରିବା ବେଳକୁ ବିଦ୍ରୋହପରାୟଣ ହେଇଉଠୁଛି ତ ଆଉ କାହାର ଆଖି ଲୁହରେ ଜୁଡୁବୁଡୁ ହେଇଥିବାର ଦେଖିବାକୁ ମିଳୁଛି। ୨୦୧୬ରେ ‘ଦଙ୍ଗଲ୍’ର କାରବାର ୩୮୭.୩୮ କୋଟି ହେଇଥିବା ବେଳେ ୨୦୧୭ରେ ‘ବାହୁବଳୀ-୨’ ଚଳଚ୍ଚିତ୍ରର କାରବାର ୫୧୦.୯୯ କୋଟିରେ ପହଞ୍ଚିଥିଲା। ୨୦୧୮ରେ ‘ସଞ୍ଜୁ’ ସିନେମା ୩୪୨.୫୩ କୋଟି ଟଙ୍କାର ବ୍ୟବସାୟ କରିଥିଲା ସେହିପରି ୨୦୧୪କୁ ଯଦି ଫେରିବା ‘ପିକେ’ ଫିଲ୍ମ କରିଥିଲା ୩୪୦.୮ କୋଟି ଟଙ୍କାର ବ୍ୟବସାୟ। ଏହାପରେ କ୍ରମାନ୍ବୟରେ ଆସିବେ ଟାଇଗର୍‌ ଜିନ୍ଦା ହୈ (୩୩୯.୧୬), ବଜରଙ୍ଗୀ ଭାଇଜାନ୍‌ (୩୨୦.୩୪), ୱାର୍‌ (୩୧୭.୯୧), ସୁଲ୍‌ତାନ୍ (୩୦୦.୪୫), ଧୁମ୍‌-୩ (୨୮୪.୨୭), ତନ୍‌ହାଜୀ- ଦ ଅନ୍‌ସଙ୍ଗ୍ ୱାରିଅର୍ (୨୭୯.୫୫), କବୀର ସିଂ (୨୭୮.୨୪), କ୍ରିଶ୍-୩ (୨୪୪.୯୨), ସିମ୍ବା (୨୪୦.୩୧) ଏବଂ କିକ୍ (୨୩୧.୮୫) କୋଟିର ବ୍ୟବସାୟ କରିଥିଲେ। ଅତୀତରେ ‘ଚେନ୍ନାଇ ଏକ୍ସପ୍ରେସ୍’ ୨୨୭.୧୩ କୋଟିର ବ୍ୟବସାୟ କରିଥିବା ବେଳେ ‘ଭାରତ’ ଚଳଚ୍ଚିତ୍ର କରିଥିଲା ୨୧୧.୦୭ କୋଟି। ସେମିତି ପ୍ରେମ୍‌ ରତନ୍‌ ଧନ ପାୟୋ (୨୧୦.୧୬), ଗୋଲ୍‌ମାଲ୍‌ ଏଗେନ୍ (୨୦୫.୬୯), ଗୁଡ୍ ନ୍ୟୁଜ୍ (୨୦୫.୧୪), ହାପି ନ୍ୟୁ ଇୟର୍‌ (୨୦୩), ମିସନ୍ ମଙ୍ଗଲ୍ (୨୦୨.୯୫) ଏବଂ ଥ୍ରୀ ଇଡିଅଟ୍‌ସ (୨୦୨.୯୫) କୋଟି ଟଙ୍କାର କାକରବାର କରିଥିଲେ। ହେଲେ କୋଭିଡ୍ କଟକଣା ଏବଂ ଏହାର ସଂକ୍ରମଣ ଭୟରେ ଦର୍ଶକ ପ୍ରେକ୍ଷାଳୟରୁ ମୁହଁ ଫେରାଇ ନେଇଥିବା ବେଳେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ‘ ଦ କାଶ୍ମୀର ଫାଇଲ୍‌ସ’ ଯେ ୨୦୦ କୋଟି କ୍ଲବରେ ସାମିଲ ହେଇସାରିଲାଣି ଶୁଣିଲେ ଚକିତ ଲାଗୁଛି।

୧୯୯୦ ଦଶକର କଥା। ସେତେବେଳେ କାଶ୍ମୀରରେ ପଣ୍ଡିତମାନଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅତ୍ୟାଚାର ଏବଂ ରାଜ୍ୟରୁ ପଣ୍ଡିତମାନଙ୍କ ପଳାୟନ ଉପରେ ଆଧାରିତ ଏହାର କାହାଣୀ। ଏଥିରେ ଅନୁପମ୍ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାଣ୍ଡଲେକର, ପ୍ରକାଶ ବେଲାୱାଡି, ପୁନିତ ଇସାର, ଭାଷା ସମ୍ବଲୀ, ସୌରଭ ବର୍ମା, ମୃଣାଳ କୁଲ୍‌କର୍ଣ୍ଣି, ଅତୁଲ ଶ୍ରୀବାସ୍ତବ, ପୃଥ୍ବୀରାଜ ସରନାଇକ୍‌, ଅମନ୍‌ ଇକବାଲ୍ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଚଳଚ୍ଚିତ୍ରକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭୁରି ଭୁରି ପ୍ରଶଂସା କରିଛନ୍ତିି। ଏପରିକି କେତେକ ରାଜ୍ୟରେ ଏଇ ଚଳଚ୍ଚିତ୍ର ଉପରୁ ଟିକସ ଛାଡ଼ କରାଯାଇଛି। ଏହାପରେ ‘ଦ କାଶ୍ମୀର ଫାଇଲସ୍‌’କୁ ନେଇ ବାବାଦ ଦେଖାଦେଇଛି। ବିରୋଧୀ ରାଜନୈତିକ ଦଳର ନେତାମାନେ ଏଥିରେ ଭୁଲ ତଥ୍ୟ ଓ ଅନେକ କଥାକୁ ଅତିରଞ୍ଜିତ କରାଯାଇଛି କହି ପ୍ରବଳ ବିରୋଧ କରୁଛନ୍ତି। ନିର୍ମାତା ଅଭିଷେକ ଅଗ୍ରୱାଲ୍ ଓ ପଲ୍ଲବୀ ଯୋଶୀ କିନ୍ତୁ କହିଛନ୍ତି- ସେ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦ, ରାଜ୍ୟ ସରକାରଙ୍କଠାରେ ଥିବା କିଛି ଦସ୍ତାବିଜ୍‌ ଏବଂ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସାକ୍ଷାତ କରି ‘ଦ କାଶ୍ମୀର ଫାଇଲ୍‌ସ’ର କାହାଣୀ ପ୍ରସ୍ତୁତ କରିଛୁ। ଏତେସବୁ ବିବାଦ ଓ ଟଣାଓଟରା ପରେ ‘ଦ କାଶ୍ମୀର ଫାଇଲ୍‌ସ’ ଦୁଇ ସପ୍ତାହ ଭିତରେ ୨୦୦.୧୩ କୋଟି ଟଙ୍କାର ବ୍ୟବସାୟ କରି ଆହୁରି ଅଧିକ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରୁଛି।

ସମ୍ବନ୍ଧିତ ଖବର