ନାଚିବାକୁ ଅସହଜ ମନେ ହେବାରୁ ଗୀତ ବଦଳାଇବାକୁ କହିଲେ ଐଶ୍ୱର୍ଯ୍ୟା, ଏହି ଗୀତରେ ନାଚୁଥିଲେ ଓ ବଦଳିବା ପରେ ଏମିତି ହେଲା ପଦ

ମୁମ୍ବାଇ: ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ଫନ୍ନେ ଖାଁ’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ର ସୁଟିଂ ସମୟରେ ଏଥିରେ ଥିବା ଏକ ଗୀତରେ ନାଚିବାକୁ ଅସହଜ ମନେ ହେବାରୁ ନୀଳନୟନା ସେହି ଗୀତର ପଦ ବଦଳାଇବା ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ କହିଥିବା ଜାଣିବାକୁ ମିଳିଛି। ସେହି ଗୀତରେ ନୃତ୍ୟ ପ୍ରଦର୍ଶନ କରିବା ବେଳେ ସେ ରୀତିମତ ଭାବେ ବିରକ୍ତ ପ୍ରକାଶ କରୁଥିଲେ। ଶେଷରେ ବାଧ୍ୟ ହୋଇ ନିର୍ଦ୍ଦେଶକ ଚଳଚ୍ଚିତ୍ରରୁ ସେହି ଗୀତକୁ ବାଦ୍‌ ଦେଇ ନୂତନ ଗୀତ ପ୍ରୟୋଗ କରିଛନ୍ତି ବୋଲି ସୂଚନା ରହିଛି।

ଚଳଚ୍ଚିତ୍ରଟି ସୁଟିଂର ଶେଷ ପର୍ଯ୍ୟାରେ ରହିଛି। କେବଳ ଗୀତ ସୁଟିଂ ସରିଲେ ହିଁ ‘ଫନ୍ନେ ଖାଁ’ର ସୁଟିଂ କାର୍ଯ୍ୟ ସମାପ୍ତ ହେବ। ଯେଉଁ ଗୀତଟି ପ୍ରତି ଐଶ୍ୱର୍ଯ୍ୟା ତାଙ୍କର ବିରକ୍ତି ଭାବ ପ୍ରକାଶ କରିଥିଲେ ସେହି ଗୀତଟି ମୁମ୍ବାଇର ଫିଲ୍ମଷ୍ଟାନ୍‌ ଷ୍ଟୁଡିଓରେ ୨ ଦିନ ଧରି ସୁଟିଂ ଚାଲିଥିଲା। ଚଳଚ୍ଚିତ୍ରଟିରେ ଐଶ୍ୱର୍ଯ୍ୟା ଏକ୍‌ଦମ୍‌ ଗ୍ଲାମରସ୍‌ ଲୁକ୍‌ରେ ନଜର ଆସିବେ। ଏଥିରେ ତାଙ୍କର ଏକ ଆଇଟମ୍‌ ନମ୍ବର ରହିଛି।

ଯେଉଁ ଗୀତଟିରେ ନାଚିବାକୁ ଐଶ୍ୱର୍ଯ୍ୟା ଅସହଜ ମନେ କଲେ ସେ ଗୀତଟିର ପ୍ରଥମ ଧାଡ଼ି ଥିଲା ‘ଫେବିକଲ୍‌ ସେ’। ସେ ଗୀତକୁ ପରିବର୍ତ୍ତନ କରାଯାଇ ଚଳଚ୍ଚିତ୍ରରେ ରଖାଯାଇଥିବା ନୂତନ ଗୀତଟିର ପ୍ରଥମ ଧାଡ଼ି ରହିଛି ‘ହଲ୍‌କା ହଲ୍‌କାସା ଖୁମାର୍‌ ହେ’।

ଗୀତଟି ଅଧାରୁ ନୁହେଁ ବରଂ ପୂରା ସୁଟିଂ ହେବା ପରେ ହିଁ ତାହାକୁ ଚଳଚ୍ଚିତ୍ରରୁ ବାଦ୍‌ ଦେବାର ନିଷ୍ପତ୍ତି ନିଆଯାଇଛି। ଏପରିକି ଗୀତଟି ସଂପୂର୍ଣ୍ଣ ହେବା ପରେ କୋରିଓଗ୍ରାଫର୍‌ ଓ ନିର୍ଦ୍ଦେଶକ ବି ଦେଖିବା ପରେ ସନ୍ତୁଷ୍ଟ ନ ଥିଲେ। ଐଶ୍ୱର୍ଯ୍ୟା ନିଜର ଅସନ୍ତୋଷ ପ୍ରକାଶ କରିବା ପରେ ଟିମ୍‌ ଶେଷରେ ଏହି ଗୀତଟିକୁ ଚଳଚ୍ଚିତ୍ରରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର