ଅଲେଖ ହଟାଅ, ଅଜୟଙ୍କୁ ଟିକେଟ ଦିଅ ଦାବିରେ ବିକ୍ଷୋଭ

ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ସମ୍ମୁଖରେ ପ୍ରବାସୀ ଓଡିଆଙ୍କ ବିକ୍ଷୋଭ

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ତଳୀର ବିଜେପି ବିବାଦ ପହଞ୍ଚିଛି ଦିଲ୍ଲୀରେ। ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ଟି ସଂଗଠନର ପ୍ରବାସୀ ଓଡିଆମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜନଗର ବିଧାନସଭା ନିର୍ବାଚନମଣ୍ତଳୀରୁ ଅଲେଖ କୁମାର ଜେନାଙ୍କୁ ହଟାଇ ଯୁବନେତା ଅଜୟ କୁମାର ବେହେରାଙ୍କୁ ଦଳୀୟ ଟିକେଟ ଦେବାକୁ ସେମାନେ ଦାବି କରିଛନ୍ତି। ଟିକେଟ ପ୍ରଦାନର ପୁନର୍ବିଚାର କରା ନଗଲେ ପ୍ରବାସୀ ଓଡିଆମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଆଜି ଦିନ ପ୍ରାୟ ୧୦ଟା ବେଳେ ନୂଆଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବାସୀ ଓଡିଆମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲେଖ କୁମାର ଜେନାଙ୍କୁ ହଟାଇ ରାଜନଗର ନିର୍ବାଚନମଣ୍ତଳୀରୁ ଯୁବନେତା ତଥା ପ୍ରବାସୀ ଓଡିଆଙ୍କ ସୁଖଦୁଃଖର ସାଥୀ ଅଜୟ କୁମାର ବେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ସେମାନେ ଦାବି କରିଛନ୍ତି। ଆଦର୍ଶ ଉତ୍କଳ ସମାଜ, ଫରିଦାବାଦ ଓଡିଆ ଫାଉଣ୍ଡେସନ, ଶ୍ରୀକ୍ଷେତ୍ର ଫାଉଣ୍ଡେସନ, ପ୍ରବାସୀ ଓଡିଆ ପରିବାର, ଜୟ ଜଗନ୍ନାଥ ଓଡିଆ ସଂଘ, ନୋଏଡା ଜଗନ୍ନାଥ ମନ୍ଦିର, ରୋହିଣୀ ଜଗନ୍ନାଥ ମନ୍ଦିର, ଝିଲମିଲ ଜଗନ୍ନାଥ ମନ୍ଦିର, ଜୟ ଜଗନ୍ନାଥ ଓଡିଆ ସଂଘ, ବିକାଶପୁର ଗଣେଶ ପୂଜା କମିଟି ଓ ସୁଖ ଦୁଃଖର ସାଥୀ ଫାଉଣ୍ଡେସନର କର୍ମକର୍ତା ଓ ସଦସ୍ୟମାନେ ଏକାଠି ହୋଇ ଯୁବନେତା ଅଜୟ ବେହେରାଙ୍କୁ ବିଜେପିରୁ ଟିକେଟ ଦେବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଗଠନର ବିଶ୍ବଜିତ ବାରିକ, ବିଭୁପ୍ରସାଦ ସାହୁ, ରଂଜନ କୁମାର ପରିଡା, ବାସୁଦେବ ରାଉତ, ଅଖିଳ ସାହୁ, ଗଙ୍ଗାଧର ରାଉତ, ସୁରେନ୍ଦ୍ର କୁମାର ରାଉତ, ସନାତନ ରାଉତ, ବିଜୟ ବେହେରା, ସଂଜୟ ସାହୁ, ବାସୁଦେବ ପ୍ରଧାନ, ଅମର ମଲ୍ଲିକ, ସୁବ୍ରତ ଓଝା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜନଗର ବିଧାନସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ଅଲେଖ କୁମାର ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ମାତ୍ର ରାଜନଗର ନିର୍ବାଚନମଣ୍ତଳୀରେ ବିଜେପିର ଅନ୍ୟ ସମସ୍ତ ଟିକେଟ ଆଶାୟୀ, ଜୋନ ସଭାପତି, ପଂଚାୟତ ସଭାପତି ଓ ଆଗଧାଡିର କର୍ମୀ ବିଧାୟକ ପ୍ରାର୍ଥୀ ଶ୍ରୀ ଜେନାଙ୍କୁ ବିରୋଧ କରିଆସୁଛନ୍ତି। ଗତ ୨୩ ତାରିଖ ଦିନ ଶତାଧିକ ବିଜେପି କର୍ମୀ ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ‘ଅଲେଖ ହଟାଅ, ରାଜନଗର ବିଜେପି ବଂଚାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ୨୪ ତାରିଖ ଦିନ ରାଜନଗର ନିର୍ବାଚନମଣ୍ତଳୀର ଜରିମୂଳ ଠାରେ ବିଜେପି କର୍ମୀମାନେ ଦଳୀୟ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ବି ଦାହ କରିଥିଲେ।

ସମ୍ବନ୍ଧିତ ଖବର