କିଏ ହେ‌େବ କିଙ୍ଗ୍‌ମେକର୍‌?

ଆଞ୍ଚଳିକ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ, ସପା-ବସପା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ:  ଏଥର ଲୋକସଭା ନିର୍ବାଚନରେ କୌଣସି ଦଳକୁ ମଧ୍ୟ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ  ବୋଲି କେତେକ ଜନମତ ସର୍ଭେ ରିପୋର୍ଟରୁ ଜଣାପଡ଼ିବା ପରେ ଏବେ ଏହାକୁ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି। ତ୍ରିଶଙ୍କୁ ଲୋକସଭା ସ୍ଥିତିରେ କିଏ କିଙ୍ଗ୍‌ ମେକର୍‌ ହେବ ସେ ନେଇ ନାନା କଳ୍ପନାଜଳ୍ପନା ଚାଲିଥିବା ବେଳେ  ଆଞ୍ଚଳିକ ଦଳମାନଙ୍କର ଭୂମିକା ହିଁ ଏ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରହିବ। ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କ ନେତୃତ୍ବାଧୀନ ୱାଇଏସ୍‌ଆର୍‌ କଂଗ୍ରେସ, କେ. ଚନ୍ଦ୍ର ଶେଖର ରାଓଙ୍କ ଟିଆର୍‌ଏସ୍‌, ନବୀନ ପଟ୍ଟନାୟକଙ୍କ ବିଜେଡି, ମାୟାବତୀଙ୍କ ବିଏସ୍‌ପି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଉଭୟ ଏନ୍‌ଡିଏ ଏବଂ ୟୁପିଏଠାରୁ ସମ ଦୂରତା ବଜାୟ ରଖିଥିବାରୁ ଏହି ଦଳମାନଙ୍କର ନର୍ବାଚନ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ  କଂଗ୍ରେସ ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ମଧ୍ୟ କେନ୍ଦ୍ର ସରକାର ଗଠନରେ ବଡ଼ ଭୂମିକା ନିର୍ବାହ କରିପାରେ। ମମତା ଏବଂ ନାଇଡ଼ୁ ବିଜେପି ବିରୋଧୀ ମେଣ୍ଟ ଗଠନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଏବଂ ଏହି ପ୍ରୟାସରେ ସେମାନେ କଂଗ୍ରେସ ସହିତ ଘନିଷ୍ଠ ହୋଇଛନ୍ତି । ତେବେ ମମତା ବିଜେପି ସହିତ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳିଛି। ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି  ବିଜେପି ବିରୋଧରେ ମହାମେଣ୍ଟ ଗଠନ କରିଥିଲେ ମଧ୍ୟ ସେମାନେ ଏହି ମେଣ୍ଟରେ କଂଗ୍ରେସକୁ ପୂରାଇ ଦେଇନାହାନ୍ତି ଏବଂ ବିଭିନ୍ନ ନିର୍ବାଚନୀ ସଭାରେ କଂଗ୍ରେସକୁ   କଡ଼ା ସମାଲୋଚନା କରୁଛନ୍ତି। ଏଭଳି ସ୍ଥିତିରେ ୟୁପିରେ ଯଦି ମହାମେଣ୍ଟ ସଫଳ ‌ହୁଏ ତା’ହେଲେ ମାୟାବତୀଙ୍କ ଭୂମିକା କ’ଣ ହେବ ତାହା ଉପରେ ଅନେକ କିଛି ନିର୍ଭର କରୁଛି। ୫୪୩ ଲୋକସଭା ଆସନରୁ ଆଞ୍ଚଳିକ ଦଳମାନେ ୧୮୦ ଆସନ ଦଖଲ କରିବା ସମ୍ଭାବନା ରହିଛି ।  ଯେଉଁ ଆଞ୍ଚଳିକ ଦଳ ଯେତେ ଅଧିକ ଆସନ ଜିତିବ, ତ୍ରିଶଙ୍କୁ ସ୍ଥିତିରେ ତାହାର ଭୂମିକା ସେତିକି ଗୁରୁତ୍ବପୂର୍ଣ୍ଣ ରହିବ। ତ୍ରିଶଙ୍କୁ ସ୍ଥିତିରେ ହିଁ ରାଜ୍ୟର ସ୍ବାର୍ଥ  ହାସଲ କରିହେବ ବୋଲି ନିକଟରେ ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ବୟାନ ବେଶ୍‌ ଚର୍ଚ୍ଚାରେ ରହିଥିଲା। ତ୍ରିଶଙ୍କୁ ସ୍ଥିତିରେ କଂଗ୍ରେସ କିମ୍ବା ତୃତୀୟ ସାମ୍ମଖ୍ୟର ସରକାର ଗଠନ ସମ୍ଭବ ବୋଲି ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ୍‌) ନେତା କମଲ ହାସନ ମଧ୍ୟ କହିଛନ୍ତି।

ସିଏସ୍‌ଡିଏସ୍‌ ଦ୍ବାରା  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବର ହୋଇଥିବା ଏକ ଜନମତ ସର୍ଭେରେ କୁହାଯାଇଥିଲା ଯେ ବିଭିନ୍ନ ରାଜ୍ୟରେ ବିରୋଧୀ ଦଳମାନେ ଏକଜୁଟ ହୋଇ ଲଢ଼ୁଥିବାରୁ ବିଜେପିର ଆସନ ସଂଖ୍ୟା କମିବ ଏବଂ ଏହା ୨୨୨ରୁ ୨୩୨ ଆସନରେ ସୀମିତ ରହିବ। ୨୦୧୪ ନିର୍ବାଚନରେ ବିଜେପି ଏକାକୀ ୨୮୩ ସିଟ୍‌ ହାସଲ କରିଥିଲା। ୨୦୧୪ରେ କଂଗ୍ରେସ କେବଳ ୪୪ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ୭୦ରୁ ୮୪ ଆସନ ପାଇବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର