ଦୁଷ୍କର୍ମକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଅପରାଧୀ ଜିଅନ୍ତା ଜାଳିଦେଲା

ବାଙ୍ଗାଲୋର: କର୍ଣ୍ଣାଟକର ୟାଦଗିର ଜିଲ୍ଲାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲାବେଳେ ସେ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି। ଗଙ୍ଗାପ୍ପା ବସପ୍ପା ନାମରେ ଚିହ୍ନଟ ଅଭିଯୁକ୍ତ ଜଣକ ଗତ ସୋମବାର ସୁରପୁର ତାଲୁକ ଅନ୍ତର୍ଗତ ମହିଳାଙ୍କ ଘରେ ଜବରଦସ୍ତ ପଶି ଏହି ନୃଶଂସ କାଣ୍ଡ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୨ଟାବେଳେ ଅଭିଯୁକ୍ତ ଗଙ୍ଗାପ୍ପା ମହିଳାଙ୍କ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେ ସେ ଏହାକୁ ଦୃଢ଼ଭାବରେ ପ୍ରତିରୋଧ କରିଥିଲେ। ଏହାପରେ ଗଙ୍ଗାପ୍ପା ବାହାରକୁ ଆସି ବଳାତ୍କାର ଉଦ୍ୟମର ପ୍ରମାଣ ନଷ୍ଟ କରିବା ପାଇଁ ନିଜ ମଟରସାଇକେଲରୁ ପେଟ୍ରୋଲ ବାହାର କରି ମହିଳାଙ୍କ ଦେହରେ ଢାଳି ନିଆଁ ଲଗାଇଦେଇଥିଲା। ଏଥିରେ ମହିଳାଙ୍କ ଶରୀରର ଶତକଡ଼ା ୯୫ ଭାଗ ପୋଡ଼ିଯାଇଥିଲା। ତାଙ୍କୁ ପରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ୟାଦଗିର ଏସ୍‌ପି ସିବି ବେଦମୂର୍ତ୍ତି କହିଛନ୍ତି। କର୍ଣ୍ଣାଟକର ମନ୍ତ୍ରୀ ଆରାଗ ଜ୍ଞାନେନ୍ଦ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅମାନବୀୟ ଘଟଣା। ବର୍ତ୍ତମାନ ତଦନ୍ତ ଜାରି ରହିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଇନ ଅନୁଯାୟୀ ଦୋଷୀକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ।

ସମ୍ବନ୍ଧିତ ଖବର