ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାୟଗଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି। ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାୟଗଡ଼ାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ରେଳବାଇ, ଗମନାଗମନ, ଶିକ୍ଷା, ଜଳସଂପଦ, ଜନଜାତି ବିକାଶ ଓ ଆଇଟି ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓଡ଼ିଶାକୁ ଦିଆଯାଇଛି। ରାୟଗଡ଼ାରେ ନୂତନ ରେଳ ଡିଭିଜନ୍ କାର୍ଯ୍ୟ ଆଗେଇ ଚାଲିଛି। ସେହିପରି ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟସ୍ତରର ସମସ୍ତ ଅଧାପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ଜନ ଆଶୀର୍ବାଦ ଯାତ୍ରାରେ ଯାଇ ରାୟଗଡ଼ାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଦଳୀୟ ନେତା, କର୍ମୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।ଏଣେ ରାୟଗଡ଼ା, ବିଷମ କଟକ, ଗୁଣୁପୁର ଅଞ୍ଚଳରୁ ଆସିଥିବା ଲୋକେ ବିଭିନ୍ନ ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ପଦ୍ମଶ୍ରୀ ଶାନ୍ତି ଦାସଙ୍କୁ ରାୟଗଡ଼ା ସ୍ଥିତ ବାସଭବନରେ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର