ପ୍ରସାଦରେ ସାଏନାଇଡ୍‌ ଦେଇ ମାରୁଥିଲା ଆନ୍ଧ୍ର ଜଗୁଆଳ;୨ ବର୍ଷରେ ୧୦ ହତ୍ୟା

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶର ଜଣେ ଜଗୁଆଳ ୨ ବର୍ଷ ମଧ୍ୟରେ ପ୍ରାୟ ୧୦ ଜଣଙ୍କୁ ସାଏନାଇଡ ଦେଇ ମାରିଥିବା ସଂକ୍ରାନ୍ତ ଚାଞ୍ଚଲ୍ୟକର ତଥ୍ୟ ଲୋକଲୋଚନକୁ ଆସିଛି। ଲୋକଙ୍କୁ ଠକି ଅର୍ଥ ଆଦାୟ କରିବା ପରେ ସେ ସାଏନାଇଡ୍‌ ଦେଇ ସେମାନଙ୍କୁ ମାରୁଥିଲା ବୋଲି ପୁଲିସ କହିଛି। ନିଜକୁ ଅଲୌକିକ ଶକ୍ତିର ଅଧିକାରୀ ବୋଲି କହି ଉକ୍ତ ଜଗୁଆଳ ଜଣଙ୍କ ୮ ଜଣଙ୍କୁ ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ମୁଦ୍ରା ଦେଇ ବିପୁଳ ଅର୍ଥ ହାସଲ କରିଥିଲା ଏବଂ ପରବର୍ତ୍ତୀ ସମୟରେ ପ୍ରସାଦରେ ସାଏନାଇଡ୍‌ ଦେଇ ସେମାନଙ୍କୁ ମାରି ଦେଇଥିଲା। ଏଭଳି ବର୍ବର କାଣ୍ଡ ଘଟାଇଥିବା ଅଭିଯୁକ୍ତର ନାମ ଭି ସୀମାଦ୍ରି। ପଶ୍ଚିମ ଗୋଦାବରୀ ଜିଲ୍ଲାର ଜଣେ ବ୍ୟକ୍ତି ସିମାଦ୍ରୀ ଦ୍ବାରା ହତ୍ୟାର ଶିକାର ହେବାପରେ ଏହି ରହସ୍ୟ ଉନ୍ମୋଚିତ ହୋଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଟଙ୍କା ଏବଂ ଗହଣା ନେଇ ବ୍ୟାଙ୍କ୍‌ରେ ଡିପୋଜିଟ୍‌ କରିବାକୁ ଯାଇଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ପ୍ରଥମେ ଅନୁମାନ କରିଥିଲା ଯେ ହୃଦ୍‌ଘାତ ଯୋଗୁଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇପାରେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ସାଏନାଇଡ୍‌ ସଂପର୍କରେ କିଛି ଜଣାପଡ଼ିନଥିଲା । ତେବେ ତାଙ୍କ କଲ୍ ରେକର୍ଡରୁ ଜଣା ପଡ଼ିଥିଲା ‌ଯେ ସେ ଭି ସୀମାଦ୍ରି ସହ ସେ ସଂପର୍କରେ ଥିଲେ।

ସୀମାଦ୍ରି ଉକ୍ତ ବ୍ୟକ୍ତିଙ୍କୁ ଏକ କଏନ୍‌ ବଦଳରେ ୧.୫ରୁ ୨ ଲକ୍ଷ ଟଙ୍କା ଦାବି କରିଥିଲା। ସେ ଦେଉଥିବା ସ୍ବର୍ଣ୍ଣ ମୁଦ୍ରା ସମୃଦ୍ଧି ଆଣିଦେବ ବୋଲି ସିମାଦ୍ରୀ ଲୋଭ ଦେଖାଉଥିଲା ଏବଂ ଅର୍ଥ ପାଇଯିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିଲା। ସିମାଦ୍ରୀ ଏଲୁରୁର ଏକ ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସରେ ରହୁଥିଲା। ତେବେ ତା’ର ଫୋନ୍‌ରୁ ୨୨୦ଟି ନମ୍ବର ଯାଞ୍ଚ କରିବାପରେ ଜଣାପଡ଼ିଥିଲା ଯେ ସେଠାରେ ହୋଇଥିବା ପ୍ରାୟ ୮ଟି ରହସ୍ୟଜନକ ମୃତ୍ୟୁ ଏକପ୍ରକାରର ଏବଂ ସମସ୍ତଙ୍କ ସହ ସୀମାଦ୍ରିର ସଂପର୍କ ରହିଥିଲା ଏବଂ ସମସ୍ତଙ୍କୁ ସେ ପ୍ରସାଦରେ ସାଏନାଏଡ ଦେଇ ମାରିଥିଲା। ସିମାଦ୍ରୀ ନିଜକୁ ଅଲୌକିକ ଶକ୍ତିର ଅଧିକାରୀ ବୋଲି ପରଚୟନ ଦେବାକୁ ଅନେକ ଷଡ଼ଯନ୍ତ୍ର କରୁଥିଲା। ସୀମାଦ୍ରି ଏବଂ ଅନ୍ୟମାନଙ୍କୁ ଜେରା ପରେ ଏ ସଂକ୍ରାନ୍ତ ସବୁ କଥା ଜଣାପଡ଼ିଛି। ସିମାଦ୍ରୀ ତା’ର ଜେଜେ ମା’ ଏବଂ ଭାଉଜକୁ ମଧ୍ୟ ସାଏନାଇଡ ଦେଇ ମାରି ଦେଇଥିବା ଜଣାପଡ଼ିଛି। ବିଜୟୱାଡ଼ାର ତା’ର ଜଣେ ବନ୍ଧୁର ଦୋକାନରୁ ସେ ସାଏନାଇଡ୍‌ ଆଣୁଥିଲା। ସମସ୍ତ ହତ୍ୟା ଘଟଣା ଜାନୁଆରି ୨୦୧୮ରୁ ଅକ୍ଟୋବର ୨୦୧୯ ମଧ୍ୟରେ ହୋଇଛି।

ସମ୍ବନ୍ଧିତ ଖବର