ଚାପରେ ଯାଉଛି ଯବାନଙ୍କ ଜୀବନ, ପ୍ରତିବର୍ଷ ୧୦୦ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଗତକାଲି ଜଣେ ଆଇଟିବିପି ଯବାନ ତାଙ୍କର ୫ ଜଣ ସହକର୍ମୀଙ୍କୁ ଗୁଳି କରି ମାରିବା ପରେ ନିଜେ ଆତ୍ମହତ୍ୟା କରିଦେଇଥିଲେ। ବିବାଦ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଥିଲେ ମଧ୍ୟ ଏଯାବତ୍‌ ପ୍ରକୃତ କାରଣ ଜଣା ପଡ଼ିନାହିଁ। ତେବେ ଗତକାଲିର ଘଟଣା ପ୍ରଥମ ନୁହେଁ। ଯବାନମାନେ ଚିନ୍ତା ଓ ଚାପ ପାଇଁ ଅଧିକାଂଶ ସମୟରେ ନିଜ ଜୀବନ ନିଜେ ଶେଷ କରିଦେଉଛନ୍ତି। ଏହାବାଦ୍‌ ଚାପଗ୍ରସ୍ତ ଯବାନ ବିବାଦ ପାଇଁ ବି ନିଜ ସହକର୍ମୀଙ୍କୁ ଗୁଳି କରି ମାରି ଦେଉଛନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୬ରୁ ୨୦୧୮ ମଧ୍ୟରେ ଆଇଟିବିପି, ବିଏସଏଫ୍‌, ସିଆରପିଏଫ୍‌, ସିଆଇଏସଏଫ୍‌, ଏସ୍‌ଏସ୍‌ବି ଏବଂ ଆସାମ ରାଇଫଲ୍ସର ପ୍ରାୟ ୧୦୦ ଯବାନ ପ୍ରତିବର୍ଷ ଆତ୍ମହତ୍ୟା ଏବଂ ସହକର୍ମୀଙ୍କ ସହ ସଂଘର୍ଷ ଯୋଗୁଁ ପ୍ରାଣ ହରାଉଛନ୍ତି। ତେବେ ତୁଳନାତ୍ମକ ଭାବେ ହିଂସା ନିୟନ୍ତ୍ରଣ ଏବଂ ଅନ୍ୟ ଅପରେସନ ମାମଲାରେ ପ୍ରତିବର୍ଷ ୬୬ ଯବାନ ପ୍ରାଣ ହରାଉଛନ୍ତି। ୨୦୧୬ରେ ୯୦ ଯବାନ ଆତ୍ମହତ୍ୟା କରିଥିବା ବେଳେ କାର୍ଯ୍ୟରତ ଅବସ୍ଥାରେ ୭୧ ଜଣ ପ୍ରାଣ ହରାଇଥିଲେ। ୨୦୧୭ରେ ୧୨୧ ଯବାନ ଆତ୍ମହତ୍ୟା କରିଥିବା ବେଳେ ୭୧ ଜଣ କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାଣ ହରାଇଥିଲେ। ସେହିପରି ୨୦୧୮ରେ ୫୭ ଜଣ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣ ହାରିଥିବାବେଳେ ୯୬ ଜଣ ଆତ୍ମହତ୍ୟା କରିଥିଲେ।

କାର୍ଯ୍ୟରେ ଅତ୍ୟଧିକ ଚିନ୍ତା ଓ ଚାପ ପାଇଁ ଯବାନମାନେ ନିଜକୁ ଶେଷ କରିଦେବାକୁ ପଛାଉ ନାହାନ୍ତି। ସରକାରୀ ଭାବେ କୁହାଯାଇଛି ଯେ ପାରିବାରିକ ସମସ୍ୟା ଯବାନଙ୍କ ଆତ୍ମହତ୍ୟାର ସବୁଠୁ ବଡ଼ କାରଣ। ଏହାପରେ ନିଶାସେବନ ଏବଂ ଚାକିରି ସଂକ୍ରାନ୍ତ ପ୍ରସଙ୍ଗ ବି ଅନ୍ୟ ଦୁଇଟି ପ୍ରମୁଖ କାରଣ। ତେବେ କେବଳ ଅର୍ଦ୍ଧ ସାମରିକ ବଳ ନୁହେଁ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁ ସେନାରେ ମଧ୍ୟ ଆତ୍ମହତ୍ୟା ଏବଂ ସହକର୍ମୀଙ୍କ ସହ ସଂଘର୍ଷ ଘଟଣା ଦେଖିବାକୁ ମିଳିଛି। ଏହି ୩ ସେନାବାହିନୀରେ ଆତ୍ମହତ୍ୟା ଓ ସହକର୍ମୀଙ୍କ ସହ ସଂଘର୍ଷ ପାଇଁ ୨୦୧୬ରେ ୧୩୨ ଟି ମାମଲା ଥିବାବେଳେ ୨୦୧୭ରେ ୧୦୪, ୨୦୧୮ରେ ୧୦୮ ଏବଂ ୨୦୧୯ରେ ୮୬ଟି ମାମଲା ରହିଛି। ଅନ୍ୟପକ୍ଷେ ୨୦୧୫ ମସିହାରୁ ଅଧିକାଂଶ ଯବାନ ଚାକିରି ଛାଡ଼ିବା ଘଟଣା ବୃଦ୍ଧି ପାଇଛି। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଏହା ପ୍ରାୟ ୫ ଗୁଣ ବୃଦ୍ଧି ପାଇଥିବା ଜଣାପଡ଼ିଛି। ୧୪,୫୮୭ ଅର୍ଦ୍ଧସାମରିକ ସଦସ୍ୟ ୨୦୧୭ରେ ସ୍ବେଚ୍ଛାକୃତ ଅବସର ନେଇଥିବା ବେଳେ ୨୦୧୫ରେ ଏହି ସଂଖ୍ୟା ୩,୪୨୨ ଥିଲା।

ସମ୍ବନ୍ଧିତ ଖବର