୧୫ ବର୍ଷର ପ୍ରଚେଷ୍ଟା ପରେ ବାୟୁସେନା ଲଢୁଆ ବିମାନ ପାଇଁ ଡିଆର୍‌ଡିଓର ସୁପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରସ୍ତୁତ

ନୂଆଦିଲ୍ଲୀ: ଦୀର୍ଘ ପନ୍ଦର ବର୍ଷର ପ୍ରଚେଷ୍ଟା ପରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ‘ବିୟଣ୍ଡ୍‌ ଭିଜୁଆଲ୍‌ ରେଞ୍ଜ୍‌ ଏୟାର୍‌-ଟୁ-ଏୟାର୍‌ ମିସାଇଲ୍‌’ (ବିଭିଆର୍‌ଏଏଏମ୍‌) ‘ଅସ୍ତ୍ର’କୁ ବାୟୁସେନାର ଲଢୁଆ ବିମାନରେ ସାମିଲ୍‌ କରିବାକୁ ପ୍ରସ୍ତୁତ କରିଛି ଡିଆର୍‌ଡିଓ।

ସୁଖୋଇ-୩୦ଏମ୍‌କେଆଇ ଜେଟ୍‌ ନିମନ୍ତେ ପ୍ରାଥମିକ ଭାବେ ଅନ୍ୟୂନ ୨୦୦ଟି କ୍ଷେପଣାସ୍ତ୍ର ବରାଦ ମିଳିବ ବୋଲି ଏହାକୁ ବିକଶିତ କରିଥିବା ଡିଆର୍‌ଡିଓ ଆଶା ପୋଷଣ କରିଛି।

‘ଅସ୍ତ୍ର’ର ଲକ୍ଷ୍ୟ ଭେଦ ସୀମା ୧୧୦ କିଲୋମିଟର୍‌ରୁ ୧୬୦ କିଲୋମିଟର୍‌କୁ ବୃଦ୍ଧି କରିବାକୁ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌ (ଡିଆର୍‌ଡିଓ) ଉଦ୍ୟମ ଆରମ୍ଭ କରିସାରିଛି।

Image Source: Livelist

ଡିଆର୍‌ଡିଓ ମୁଖ୍ୟ ଡକ୍ଟର୍‌ ଜି ସତୀଶ ରେଡ୍ଡୀ କହିଛନ୍ତି: ଆଜି ବିଶ୍ୱରେ ଅସ୍ତ୍ର ହେଉଛି ଅନ୍ୟତମ ଶ୍ରେଷ୍ଠ ‘ବିଭିଆର୍‌ଏଏଏମ୍‌’। ଏହାକୁ ଲକ୍ଷ୍ୟଭେଦୀ କ୍ଷମତା ଆହୁରି ବଢ଼ାଇବା ନିମନ୍ତେ ଆମର ସାମର୍ଥ୍ୟ ରହିଛି।

ଏ ଭଳି ଉନ୍ନତ କ୍ଷେପଣାସ୍ତ୍ର ନିର୍ମାଣ କରି ଭାରତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌, ଫ୍ରାନ୍‌ସ୍‌ ଏବଂ ଇସ୍ରାଏଲ୍‌ ଭଳି ଦେଶର ସମକକ୍ଷ ହୋଇପାରିଛି।
୩. ୫୭ ମିଟର୍‌ ଦୀର୍ଘ ‘ଅସ୍ତ୍ର’ର ଓଜନ ହେଉଛି ୧୫୪ କିଲୋଗ୍ରାମ୍‌। ଏହା ଶବ୍ଦର ଗତି ଠାରୁ ଚାରିଗୁଣ ବେଗରେ ଗତି କରିବ। ପ୍ରତି କ୍ଷେପଣାସ୍ତ୍ର ମୂଲ୍ୟ ରହିଛି ୭ ରୁ ୮ କୋଟି ଟଙ୍କା। କିନ୍ତୁ, ସମ୍ପ୍ରତି ‘ବିଭିଆର୍‌ଏଏଏମ୍‌’ କ୍ଷେପଣାସ୍ତ୍ର ରୁଷ୍‌, ଫ୍ରାନ୍ସ ଏବଂ ଇସ୍ରାଏଲ୍‌ରୁ ବହୁ ମୂଲ୍ୟ ଦେଇ ଆମଦାନି କରାଯାଉଛି।

ସମ୍ବନ୍ଧିତ ଖବର