କାବୁଲରୁ ୧୬୮ ଯାତ୍ରୀଙ୍କୁ ନେଇ ଗାଜିଆବାଦର ହିନ୍ଦୋନ ଏୟାରବେସରେ ଅବତରଣ କଲା ବାୟୁସେନା ବିମାନ

ନୂଆଦିଲ୍ଲୀ: କାବୁଲରୁ ଉଡ଼ାଣ କରି ଭାରତରେ ପହଞ୍ଚିଲା ବାୟୁସେନା ବିମାନ | ୧୦୦ରୁ ଅଧିକ ଭାରତୀୟ ଏବଂ ପ୍ରାୟ ୨୦ ଆଫଗାନିସ୍ତାନ ଶିଖ ଓ ହିନ୍ଦୁଙ୍କୁ ଆଜି ଆଫଗାନିସ୍ତାନର କାବୁଲରୁ ଭାରତୀୟ ବାୟୁସେନାର ସି-୧୭ ବିମାନରେ ଭାରତ ଅଣାଯାଇଛି | ବିମାନଟି ଗାଜିଆବାଦର ହିନ୍ଦୋନ ଏୟାରବେସରେ ଅବତରଣ କରିଛି।

ବିମାନ ଅବତରଣ ପରେ ଏବେ ସମସ୍ତ ଯାତ୍ରୀଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ | ଏହା ପରେ ସେମାନେ ବିମାନବନ୍ଦର ବାହାରକୁ ଆସିପାରିବେ | କିଛି ସମୟ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ କରି ୧୬୮ଜଣ ଯାତ୍ରୀଙ୍କୁ ଭାରତ ଅଣାଯାଉଥିବା ବିଷୟରେ ଜଣାଇଥିଲେ | ଏହା ସହ ୮୭ ଭାରତୀୟ ଏବଂ ଦୁଇ ନେପାଳ ନାଗରିକଙ୍କୁ ନେଇ କାବୁଲରୁ ବାହାରି ତାଜିକିସ୍ତାନରେ ଅଟକିଥିବା ଏକ ଏୟାର ଇଣ୍ଡିଆର ବିମାନ ଦିଲ୍ଲୀର ଟର୍ମିନାଲ-୩ରେ ଅବତରଣ କରିଥିବା କଥା ମଧ୍ୟ ଜଣାଇଥିଲେ | ଆଫଗାନିସ୍ତାନରୁ ଭାରତୀୟଙ୍କ ଆଣିବା ପାଇଁ ଏବେ ଏକାଧିକ ବିମାନ କାବୁଲରୁ ଉଡ଼ାଣ କରିବାର ଯୋଜନା ରହିଥିବା ସେ କହିଛନ୍ତି |

ସମ୍ବନ୍ଧିତ ଖବର