୨୬/୧୧ ମୁମ୍ବାଇ ଆକ୍ରମଣର ଚତୁର୍ଦ୍ଦଶ ବାର୍ଷିକୀ: ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ : ନଭେମ୍ବର ୨୬ ତାରିଖ, ୨୦୦୮ ମସିହାରେ ଘଟିଥିବା ୨୬/୧୧ ମୁମ୍ବାଇ ଆକ୍ରମଣର ଚତୁର୍ଦ୍ଦଶ ବାର୍ଷିକୀ। ଏହି ଆତଙ୍କବାଦୀ ଆକ୍ରମଣରେ ଯେଉଁ ପୁଲିସ, ହୋମଗାର୍ଡ ଓ ସେନା କର୍ମଚାରୀମାନେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହୋଇଥିଲେ ଏବଂ ଯେଉଁ ସାଧାରଣ ଲୋକମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ୨୬/୧୧ର ମୃତକମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଟ୍ବିଟ୍ କରି ‘ଆତଙ୍କବାଦ ମାନବତା ପ୍ରତି ବିପଦ’ ବୋଲି କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୦୮ ଆକ୍ରମଣର ମୃତକଙ୍କ ପରିବାରଗୁଡ଼ିକୁ ସମବେଦନା ଜ୍ଞାପନ କରିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ଟ୍ବିଟ କରି ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ମୁମ୍ବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ରାଜ୍ୟପାଳ ଭଗତ ସିଂହ କୋଶୟାରୀ, ମନ୍ତ୍ରୀ ଦୀପକ କେସରକାର, ମୁଖ୍ୟ ଶାସନ ସଚିବ ମନୁ କୁମାର ଶ୍ରୀବାସ୍ତବ, ରାଜ୍ୟ ପୁଲିସ ଡିଜି ରଜନୀଶ ସେଠ ଓ ମୁମ୍ବାଇ ପୁଲିସ କମିସନର ବିବେକ ଫଂସଲକର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସହିଦ ପରିବାର ସଦସ୍ୟମାନଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ସହିଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ।

୨୦୦୮ ମସିହାରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଦ୍ବାରା ଚାରିଦିନ ଧରି ଛତ୍ରପତି ଶିବାଜୀ ଟର୍ମିନସ, ଓବରୟ ଟ୍ରିଡେଣ୍ଟ, ତାଜ ପ୍ୟାଲେସ ଓ ଲିଓପୋଲ୍‌ଡ କାଫେ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ପୁଲିସ, ହୋମଗାର୍ଡ ଓ ସେନା କର୍ମଚାରୀଙ୍କ ସମେତ ୧୬୬ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ସହିଦ ହୋଇଥିବା ବ୍ୟକ୍ତିମାନଙ୍କ ଭିତରେ ଥିଲେ ଆତଙ୍କବାଦ-ନିରୋଧୀ ସ୍କ୍ବାଡ (ଏଟିଏସ୍‌) ମୁଖ୍ୟ ହେମନ୍ତ କରକରେ, ଆର୍ମି ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍, ମୁମ୍ବାଇର ଅତିରିକ୍ତ ପୁଲିସ କମିସନର ଅଶୋକ କାମତେ ଏବଂ ବରିଷ୍ଠ ପୁଲିସ ଇନ୍ସପେକ୍ଟର ବିଜୟ ସଲସ୍କର ପ୍ରମୁଖ।
ଏକମାତ୍ର ଆତଙ୍କବାଦୀ ଆଜମଲ କସବକୁ ଜୀବନ୍ତ ଧରାଯାଇଥିଲା ଏବଂ ଚାରିବର୍ଷ ପରେ ୨୦୧୨ ନଭେମ୍ବର ୨୧ରେ ତାକୁ ଫାଶୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର