ଲସ୍‌ ଆଞ୍ଜଲେସ୍‌ ନିକଟ ‘ହାଉସ୍‌ ପାଟି’ରେ ଉଦ୍ଦେଶ୍ୟମୂଳକ ଅତର୍କିତ ଗୁଳି ଚାଳନା: ୪ ମୃତ, ଜଣେ ଆହତ

ଇଙ୍ଗିଲ୍‌ଉଡ୍‌ (କାଲିଫର୍ଣ୍ଣିଆ): ରବିବାର ପ୍ରତ୍ୟୁଷରେ ଲସ୍‌ ଆଞ୍ଜଲେସ୍‌ ନିକଟରେ ଆୟୋଜିତ ଏକ ‘ଘରୋଇ ପାର୍ଟି’ରେ ଏକାଧିକ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୪ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସାମ୍ବାଦିକମାନଙ୍କୁ ମେୟର୍‌ ଜେମ୍‌ସ୍‌ ବଟସ୍‌ କହିଛନ୍ତି, ଇଙ୍ଗିଲ୍‌ଉଡ୍‌ ସହରର ଗୋଟାଏ ଘରେ ଘଟିଥିବା ଗୁଳିକାଣ୍ଡ ବିଷୟରେ ସୂଚନା ପାଇ ରାତି ୧:୩୦ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗୁଳି ଚୋଟରେ ୨ଜଣ ମହିଳା ଏବଂ ୨ଜଣ ପୁରୁଷ ନିହତ ହୋଇଛନ୍ତି ଏବଂ ଅନ୍ୟଜଣେ ପୁରୁଷ ସାଙ୍ଘାତିକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ‘ସିବିଏସ୍‌୨’ ରିପୋର୍ଟ କରିଛି। ଆହତ ବ୍ୟକ୍ତିଜଣକ ବଞ୍ଚିଯିବା ପରି ମନେହେଉଛି।

ଗୋଟାଏ ରାଇଫଲ୍‌ ଏବଂ ଗୋଟାଏ ହ୍ୟାଣ୍ଡ୍‌ଗନ୍‌ ସମତେ କେତେଗୁଡ଼ିଏ ଅସ୍ତ୍ର ବ୍ୟବହୃତ ହୋଇଥିବା ଉପରୋକ୍ତ ଗୁଳିକାଣ୍ଡକୁ ‘ଅତର୍କିତ’ ବୋଲି ବଟ୍‌ସ୍‌ କହୁଛନ୍ତି। ୧୯୯୦ ଦଶକ ପରଠୁ ଇଙ୍ଗିଲ୍‌ଉଡ୍‌ରେ ଗୋଟିଏ ହେଲେ ଏଭଳି ବାଜେ ଗୁଳିକାଣ୍ଡ ଭଳି ଅପରାଧ ହୋଇନାହିଁ। ମୃତାହାତମାନଙ୍କୁ ଉଦ୍ଦେଶ୍ୟ କରି ଗୁଳି ଚଳାଯାଇଥିବା କଥା ‌ସେ କହୁଛନ୍ତି।

Image Courtesy of Bennington Banner

ଆପଣାଛାଏଁ ଆସି ଆତ୍ମସମର୍ପଣ କରିବା ଲାଗି ବଟସ୍‌ ସନ୍ଦିଗ୍ଧମାନଙ୍କୁ ଅନୁରୋଧ କରିବା ସହ କହିଛନ୍ତି, ନଚେତ ଆମେ ଆପଣମାନଙ୍କୁ ଠାବ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସରକାରୀ କର୍ତ୍ତୃପକ୍ଷମାନେ ଏକାଧିକ ସନ୍ଦିଗ୍ଧଙ୍କର ସନ୍ଧାନ ନେଉଛନ୍ତି। ସେମାନେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ସହ ସମ୍ଭାବ୍ୟ ସିକ୍ୟୁରିଟି କ୍ୟାମେରା ଫୁଟେଜ୍‌ ପାଇଁ ଆଖପାଖ ଲୋକମାନଙ୍କୁ କହିଛନ୍ତି।

ଗୁଳି ଚୋଟରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଜଣକ ଅନ୍ୟ ଏକ ସହରର ‘ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌’ ସଦସ୍ୟ। ଉକ୍ତ ଗୁଳିକାଣ୍ଡ ସହ ‘ଗ୍ୟାଙ୍ଗ୍‌’ର ସମ୍ପୃକ୍ତି ଅଛି କି, ନାହିଁ, ଜାଣିବା ଲାଗି ତଦନ୍ତକାରୀମାନେ ଉଦ୍ୟମ ଚଳାଇଛନ୍ତି ବୋଲି ‘ସିବିଏସ୍‌୨’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର