‘ଫେଡ୍‌ଏକ୍ସ୍‍’ ୟୁନିଟ୍‌ ଗୁଳିକାଣ୍ଡରେ ନିହତ ୮ଜଣଙ୍କ ମଧ୍ୟରୁ ୪ ଜଣ ଶିଖ୍‌

ଓ୍ଵାସିଂଟନ୍‌: ଗତକାଲି ଯୁକ୍ତରାଷ୍ଟ୍ର ଆମେରିକୀୟ ସହର ଇଣ୍ଡିଆନାପଲିସ୍‌ ଗୁଳିକାଣ୍ଡ ଘଟଣାରେ ନିହତ ହୋଇଥିବା ଆଠଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ଶିଖ୍‌ ବୋଲି ଶିଖ୍‌ ସଙ୍ଗଠନର ନେତାମାନେ କହିଛନ୍ତି। ଏହି ଗୁଳିକାଣ୍ଡରେ ଅନ୍ୟ ୫ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଶିଖ୍‌ ସଙ୍ଗଠନର କର୍ମୀ ମନିନ୍ଦର ସିଂହ ଓ୍ଵାଲିଆ କହିଛନ୍ତି, ନିହତ ୪ ଶିଖ୍‌ମାନଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ମହିଳା। ସେମାନେ ହେଲେ ୪୮ ବର୍ଷୀୟ ଅମରଜିତ୍‌ କୌର୍‌ ସେଖୋନ୍‌, ଜସଓ୍ଵିନ୍ଦର କୌର୍‌, ଅମରଜିତ୍‌ କୌର ଜୋହାଲ୍‌। ଚତୁର୍ଥଜଣକ ହେଉଛନ୍ତି ଯଶଓ୍ଵିନ୍ଦର ସିଂହ ନାମକ ଜଣେ ପୁରୁଷ।

Image Courtesy of India Today

ଏହା ବ୍ୟତିରେକେ, ଆହତ ହୋଇଥିବା ହରପ୍ରୀତ୍‌ ସିଂହ ଗିଲ୍‌ ନାମକ ଜଣେ ୪୫ ବର୍ଷିୟ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

ଗୁଳି ଚଳାଇଥିବା ବ୍ୟକ୍ତିଜଣକ ଇଣ୍ଡିଆନାର ୧୯ ବର୍ଷିୟ ବ୍ରାଣ୍ଡନ୍‌ ସ୍କଟ୍‌ ହୋଲ୍‌ ବୋଲି ଜଣାପଡ଼ିଛି। ଗୁଳି ଚଳାଇବା ପରେ ସେ ଆତ୍ମହତ୍ୟା  କରିଥିଲେ। ତାଙ୍କୁ ମିଶାଇ ଏ ଗୁଳିକାଣ୍ଡ ଘଟଣାରେ ସମୁଦାୟ ୯ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

ଶିଖ୍‌ ସମ୍ପ୍ରଦାୟର ନେତା ଗୁରିନ୍ଦର ସିଂହ ଖାଲ୍‌ସା ଫୋନ୍‌ରେ ଗଣମାଧ୍ୟମକୁ କହିଛନ୍ତି, ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ। ଏହି ବିୟୋଗାନ୍ତ ଘଟଣାରେ ଶିଖ୍‌ ସମ୍ପ୍ରଦାୟ ମର୍ମାହତ ହୋଇପଡ଼ିଛି।

ଏହି ଦୁଃଖଦ ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍‌ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର