ବିମୁଦ୍ରୀକରଣକୁ ୫ ବର୍ଷ : କମିଲା କି କଳାଧନ ?

ଭୁବନେଶ୍ବର : ଆଜି ବିମୁଦ୍ରୀକରଣକୁ ୫ ବର୍ଷ ପୂରଣ ହୋଇଛି । ୨୦୧୬, ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ୫୦୦ ଓ ୧ ହଜାର ଟଙ୍କିଆ ନୋଟର ବିମୁଦ୍ରୀକରଣ ସମ୍ପର୍କରେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ନିଜର ସେହି ଭାଷଣରେ ମୋଦୀ ବିମୁଦ୍ରୀକରଣ ସମ୍ପର୍କରେ ଯୁକ୍ତି ବାଢି କହିଥିଲେ ଯେ ଏହା ଦ୍ବାରା କଳାଧନ, ନକଲି ନୋଟ କାରବାର ଓ ଆତଙ୍କବାଦ ଲୋପପାଇବ । କିନ୍ତୁ ୫ ବର୍ଷ ପରେ ଏସବୁ ଲକ୍ଷ୍ୟ ହାସଲ ହୋଇଥିବା ଭଳି ମନେ ହେଉନାହିଁ । କାରଣ ଏବେ କଳାଧନ ଲୋପପାଇଛି ବୋଲି କୁହାଯାଇପାରିବ ନାହିଁ, ନକଲି ନୋଟ କାରବାର ଯଥାରୀତି ଚାଲୁ ରହିଛି ଓ ଆତଙ୍କବାଦ ଟିକିଏ କମିଥିଲେ ବି ନିର୍ମୂଳ ହୋଇନାହିଁ । ଏଣୁ ସରକାରଙ୍କ ଏହି ପଦକ୍ଷେପ ଯେ ଏକ ବିଫଳ ଓ ଅପରିଣାମଦର୍ଶୀ ପଦକ୍ଷେପ ଥିଲା ସେଥିରେ ସମସ୍ତେ ଏକମତ ହେବେ

ବିମୁଦ୍ରୀକରଣର ପରିକଳ୍ପନା କଲାବେଳେ ବୋଧହୁଏ ସରକାର ଭାବି ଥିଲେ ଯେ କଳାଧନ କେବଳ ନଗଦ ଟଙ୍କା ରୂପରେ ଗଚ୍ଛିତ ଅଛି । କିନ୍ତୁ କଳାଧନ ବିଭିନ୍ନ ରୂପରେ ଦେଶରେ ମହଜୁଦ ରହିଛି । ଉଦାହରଣସ୍ବରୂପ ଲୋକମାନେ ନିଜର ପୁରୁଣା ନୋଟକୁ ବଦଳାଇ ସୁନା କିଣିଥିଲେ । ଏଣୁ ଏ କ୍ଷେତ୍ରରେ କଳାଧନ ସୁନାକୁ ପରିବର୍ତ୍ତିତ ହୋଇଛି ବୋଲି କୁହାଯାଇପାରେ । ସେହିପରି ଦେଶରେ ଜିଏସଟି ଲାଗୁ ପରେ ଶହ ଶହ କୋଟି ଟଙ୍କାର ଜିଏସଟି ଠକେଇ ଧରାପଡୁଛି । କିନ୍ତୁ ଯେଉଁ ଗୁଡ଼ିକ ଧରା ପଡ଼ୁନାହିଁ ତାହା କଳାଧନ ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ଦେଶରେ ଏବେ ବି ନକଲି ନୋଟ କାରବାର ଜାରି ରହିଛି । ବିଦେଶୀ ରାଷ୍ଟ୍ରଙ୍କ ସମର୍ଥନରେ ଏହା ଚାଲୁଥିବାରୁ ତାହାକୁ  ଲୋପ କରିବା କଷ୍ଟକର ହୋଇପଡ଼ିଛି । ଅନ୍ୟପକ୍ଷରେ ଆତଙ୍କବାଦ ପାଇଁ ବିଭିନ୍ନ ଉପାୟରେ ଟଙ୍କା ଆସୁଛି । ହାଓ୍ବାଲା ମାଧ୍ୟମରେ ଡଲାର ଆସୁଛି ଓ ତାହାକୁ ଦେଶରେ ଟଙ୍କାରେ ପରିବର୍ତ୍ତନ କରାଯାଉଛି । ସେହିପରି ଡ୍ରଗ୍ସ ବ୍ୟବସାୟର ଅର୍ଥ ବି ଆତଙ୍କବାଦରେ ବିନିଯୋଗ ହେଉଛି ।

 

ସମ୍ବନ୍ଧିତ ଖବର