ଅଷ୍ଟମ ଶ୍ରେଣୀର ୫୬% ପିଲା ମୌଳିକ ଗଣିତ ଜାଣନ୍ତି ନାହିଁ; ୨୭% ପିଲା ପଢ଼ି ପାରନ୍ତି ନାହିଁ

ନୂଆଦିଲ୍ଲୀ: ଶିକ୍ଷା ଅଧିକାର ବଳରେ ସ୍କୁଲ୍‌ରେ ପିଲାଙ୍କ ନାମ ଲେଖା ବଢ଼ି ଚାଲିଥିବା ବେଳେ ଅଷ୍ଟମ ଶ୍ରେଣୀ ପାସ୍‌ କରୁଥିବା ପିଲାମାନଙ୍କ ମଧ୍ୟରୁ ଅନେକ ମୌଳିକ ଗଣିତ କଷି ପାରୁ ନାହାନ୍ତି। କେତେକ ବହି ମଧ୍ୟ ପଢ଼ି ପାରୁ ନାହାନ୍ତି।

‘ପ୍ରଥମ’ ନାମକ ଗୋଟିଏ ଏନ୍‌ଜିଓର ‘ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଡୁକେସନ୍‌ ରିପୋର୍ଟ’ (ଏଏସ୍‌ଇଆର୍‌) କହୁଛି କି, ଗତ କେତେ ବର୍ଷ ହେବ ଶିକ୍ଷାରେ ବିଶେଷ କିଛି ଉନ୍ନତି ଘଟି ନାହିଁ। ଉଦାହରଣ ସ୍ୱରୂପ: ଅଷ୍ଟମ ଶ୍ରେଣୀର ୫୬% ପିଲା ଗୋଟିଏ ତିନି ଅଙ୍କବିଶିଷ୍ଟ ସଂଖ୍ୟକୁ ୧ଅଙ୍କ ବିଶିଷ୍ଟ ସଂଖ୍ୟରେ ଭାଗ କରି ପାରୁ ନାହାନ୍ତି; ୫ମ ଶ୍ରେଣୀର ୭୨% ପିଲା ଆଦୌ ହରଣ ଜାଣନ୍ତି ନାହିଁ ଏବଂ ୩ୟ ଶ୍ରେଣୀର ୭୦% ପିଲା କୌଣସି ଫେଡ଼ାଣ କରି ପାରନ୍ତି ନାହିଁ।

ଦଶ ବର୍ଷ ତଳର ପରିସ୍ଥିତି ଠାରୁ ଆଜିର ପରିସ୍ଥିତି ଖୁବ୍‌ ଖରାପ। ୨୦୦୮ରେ ୫ମ ଶ୍ରେଣୀର ୩୭% ପିଲା ମୌଳିକ ଗଣିତ କଷି ପାରୁଥିଲେ; ଏବେ ୨୮%ରୁ କମ୍‌ ପିଲା ତାହା କଷି ପାରୁଛନ୍ତି।

ପଠନରେ ମଧ୍ୟ ଆମ ପିଲାଙ୍କ ଅବସ୍ଥା ଶୋଚନୀୟ। ଜାତୀୟ ସ୍ତରରେ ଅଷ୍ଟମ ଶ୍ରେଣୀ ପାସ୍‌ କରୁଥିବା ପ୍ରତି ୪ ଜଣ ପିଲାଙ୍କ ମଧ୍ୟରୁ ଜଣକୁ ପଠନର ମୌଳିକ ଦକ୍ଷତା ମାଲୁମ ନାହିଁ। ୨୦୦୮ରେ ଅଷ୍ଟମ ଶ୍ରେଣୀର ୮୪. ୮% ପିଲା ଦ୍ୱିତୀୟ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ ପାଠ ପଢ଼ି ପାରୁଥିବା ବେଳେ ୨୦୧୮ରେ ସେମାନଙ୍କ ସଂଖ୍ୟା ୭୨. ୮%କୁ ହ୍ରାସ ପାଇଛି।

ମୌଳିକ ପାଟିଗଣିତ ଜ୍ଞାନରେ ବାଳିକାମାନେ ବାଳକମାନଙ୍କ ଠାରୁ ପଛୁଆ। ମାତ୍ର ୪୪% ବାଳିକା ହରଣ କରିପାରୁଛନ୍ତି, କିନ୍ତୁ ୫୦% ବାଳକମାନେ ହରଣ କରିବାରେ ସମର୍ଥ ହେଉଛନ୍ତି। କିନ୍ତୁ, ହିମାଚଳ, ପଞ୍ଜାବ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁ ଆଦି ରାଜ୍ୟରେ ବାଳିକାମାନେ ଭଲ ପଢୁଛନ୍ତି।

୨୮ଟି ରାଜ୍ୟର ୫୯୬ଟି ଗ୍ରାମୀଣ ଜିଲ୍ଲାରୁ ମିଳିଥିବା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ୩. ୫ ଲକ୍ଷ ପରିବାରରୁ ୫.୫ ଲକ୍ଷ ୩ ରୁ ୧୬ ବର୍ଷ ମଧ୍ୟରେ ପିଲାଙ୍କୁ ଏହି ସର୍ବେକ୍ଷଣରେ ସାମିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର