ସୁଦାନ ଗୃହଯୁଦ୍ଧରେ ଫସିଥିବା ଖାରତୁମ ଅନାଥାଶ୍ରମର ୬୦ ଶିଶୁଙ୍କ ମୃତ୍ୟୁ

ଖାରତୁମ: ସୁଦାନର ସେନ‌ା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ପ୍ରାୟ ଦୁଇମାସ ହେଲା ଯୁଦ୍ଧ ଚାଲିଥିବା ବେଳେ ଖାରତୁମର ଏକ ଅନାଥାଶ୍ରମରେ ଅନ୍ୟୂନ ୬୦ ଜଣ ଶିଶୁ ଓ କିଶୋରଙ୍କର ଗତ ଦେଢ଼ମାସ ଭିତରେ ମୃତ୍ୟୁ ହୋଇଛି। ଖାଦ୍ୟ ଅଭାବ ଓ ଜ୍ବର ଆଦି କାରଣରୁ ଏହି ପିଲାମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ଗତ ସପ୍ତାହାନ୍ତରେ ଦୁଇଦିନରେ ୨୬ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଅଲ୍-ମେକୋମା ଅନାଥାଶ୍ରମର କର୍ମୀମାନେ ଛାଡ଼ିଥିବା ହୃଦୟବିଦାରକ ଭିଡ଼ିଓରେ ପୋତାହେବା ଅପେକ୍ଷାରେ ରହିଥିବା ଧଳା କପଡ଼ା ଆବୃତ ଶିଶୁଙ୍କ ଶବ ଦେଖିବାକୁ ମିଳୁଛି। ଆଉ ଏକ ଭିଡ଼ିଓରେ ୨୦ରୁ ଅଧିକ ଶିଶୁ କାନ୍ଦୁଥିବା ଓ ଜଣେ ମହିଳା ଏକ ଧାତବ ପାତ୍ରରେ ପାଣି ନେଉଥିବା ଦେଖିବାକୁ ମିଳୁଛି। ଜଣେ ଅନାଥାଶ୍ରମ କର୍ମଚାରୀ କହିଛନ୍ତି, ଗତ ସପ୍ତାହରେ ଉକ୍ତ ଅଞ୍ଚଳରେ ପ୍ରବଳ ଗୁଳିଗୋଳା ମାଡ଼ ଯୋଗୁ ଅନାଥାଶ୍ରମ ଧୂଳି ଓ ଧୂଆଁ ଦ୍ବାରା ଆଚ୍ଛାଦିତ ହୋଇଯାଇଥିଲା। ଏହା ଏକ ଭୟଙ୍କର ପରିସ୍ଥିତି ବୋଲି ଅନାଥାଶ୍ରମ କର୍ମଚାରୀ ଅଫକାର ଓମର ମୁସ୍ତାଫା କହିଛନ୍ତି। ଯୁଦ୍ଧ ଯୋଗୁ ଅନାଥାଶ୍ରମର ପିଲାମାନେ ଉପଯୁକ୍ତ ଖାଦ୍ୟ ଓ ଔଷଧ ଆଦିରୁ ବଞ୍ଚିତ ହୋଇ ମୃତ୍ୟୁ ବରଣ କରୁଥିବା ସେ କହିଛନ୍ତି। ସୁଦାନର ଡକ୍ଟର୍ସ ସିଣ୍ଡିକେଟ୍ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ଯୋଗୁ ଅଦ୍ୟାବଧି ଅନ୍ୟୂନ ୧୯୦ ଶିଶୁ ସମେତ ୮୬୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିସାରିଲାଣି।

ସମ୍ବନ୍ଧିତ ଖବର