ଦିଲ୍ଲୀରେ ଏଥର ୬୨.୫୯% ମତଦାନ, ଘୋଷଣା କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାର ଦିନ ହୋଇଥିବା ନିର୍ବାଚନର ଭୋଟ ହାର ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିର୍ବାଚନରେ ୬୨.୫୯ ପ୍ରତିଶତ ମତଦାନ ହୋଇଥିବା ଆୟୋଗ ଘୋଷଣା କରିଛନ୍ତି ।

ଏହି ଘୋଷଣାକରି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରନବୀର ସିଂ କହିଛନ୍ତି ଯେ ଦିଲ୍ଲୀରେ ଏଥର ୬୨.୫୯ ପ୍ରତିଶତ ମତଦାନ ହୋଇଛି, ଯାହାକି ଗତ ୨୦୧୫ର ମତଦାନ ହାରଠାରୁ ୫ ପ୍ରତିଶତ କମ । ୨୦୧୫ ନିର୍ବାଚନରେ ୬୭.୪୭ ପ୍ରତିଶତ ମତଦାନ ହୋଇଥିଲା । ସର୍ବାଧିକ ୭୧.୬ ପ୍ରତିଶତ ମତଦାନ ବାଲିମରନ ନିର୍ବାଚନ ମଣ୍ଡଳିରେ ଓ ସର୍ବନିମ୍ନ ୪୫.୪ ପ୍ରତିଶତ ମତଦାନ ଦିଲ୍ଲୀ କ୍ୟାଣ୍ଟ ନିର୍ବାଚନ ମଣ୍ଡଳିରେ ହୋଇଛି ।
ବିଳମ୍ବ ହେବା ସମ୍ପର୍କରେ ସେ କହିଛନ୍ତି ଯେ ଭୋଟ ସଂପର୍କିତ ତଥ୍ୟ ଗୁଡ଼ିକରେ ନିର୍ଭୁଲତା ରକ୍ଷା ପାଇଁ ସବୁ ପ୍ରକ୍ରିୟା ପାଳନ କରାଯାଇଛି । ବିଳମ୍ବ ହେବାର କୌଣସି କାରଣ ନାହିଁ ।

ସୂଚନାଯୋଗ୍ୟ ଯେ, ଚୂଡ଼ାନ୍ତ ଭୋଟ ପ୍ରତିଶତ ଘୋଷଣା କରିନଥିବାରୁ ତାହାକୁ ନେଇ ଆମ ଆଦମି ପାର୍ଟି (ଆପ) ସଂଦେହ ପ୍ରକଟ କରାଯାଇଥିଲା । ଭିତରେ ଭିତରେ କିଛି ଷଡ଼ଯନ୍ତ୍ର ଚାଲୁଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ସେ କହିଥିଲେ ଯେ ଭୋଟ ଶେଷ ହେବାର କିଛି ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ ଆୟୋଗ ଭୋଟହାର ରିପୋର୍ଟ ପ୍ରକାଶ ନ କରିବା ବେଶ ଆଶ୍ଚର୍ଯ୍ୟର ବିଷୟ ।

ସମ୍ବନ୍ଧିତ ଖବର