୫୦ ରାଷ୍ଟ୍ରରେ ୬,୩୦୦ ଭାରତୀୟ କରୋନା ସଂକ୍ରମିତ, ୪୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ବ କରୋନା ବୈଶ୍ବିକ ମହାମାରୀ ଦ୍ବାରା ପ୍ରଭାବିତ ହୋଇଛି। ବିଦେଶରେ ଏବେ ପ୍ରାୟ ୫୦ଟି ରାଷ୍ଟ୍ରରେ ୬୩୦୦ ଭାରତୀୟ ନାଗରିକ କ‌ରୋନା ସଂକ୍ରମିତ ହୋଇଛନ୍ତି ଏବଂ ୪୦ ଜଣଙ୍କ ମୃତ୍ୟୁ ହୋ‌ଇଛି। ଏହି ସଂଖ୍ୟା ଗତ ୮-୯ ଦିନ ମଧ୍ୟରେ ଦ୍ବିଗୁଣା ହୋଇଛି। ଏପ୍ରିଲ ୧୬ ତାରିଖ ସୁଦ୍ଧା ବିଦେଶରେ ୩,୩୩୬ ଭାରତୀୟ କରୋନା ସଂକ୍ରମିତ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୬,୩୦୦ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ଏପ୍ରିଲ ୧୬ରେ ୨୫ ଥିବାବେଳେ ଏହା ଏବେ ୪୦କୁ ବୃଦ୍ଧି ପାଇଛି। ସୂଚନାନୁଯାୟୀ ସିଙ୍ଗାପୁରରେ କ‌ରୋନା ସଂକ୍ରମିତ ହୋଇଥିବା ୯୦ ପ୍ରତିଶତ ଭାରତୀୟ ବିଦେଶ ଶ୍ରମିକଙ୍କ ପାଇଁ ଥିବା ଡର୍ମିଟୋରିରେ ରହୁଥିଲେ। ଉପସାଗରୀୟ ରାଷ୍ଟ୍ର କୁଏତ୍‌, ବାହରେନ୍‌, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇରେ ୨୦୦୦ରୁ ଅଧିକ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି।

ସେହିପରି ଇରାନ୍‌ରେ ମଧ୍ୟ ଅନେକ ସଂଖ୍ୟାରେ ଭାରତୀୟ କରୋନା‌ ଆକ୍ରାନ୍ତ ହୋଇଛନ୍ତି। ତେବେ ମାତ୍ର ସପ୍ତାହକ ମଧ୍ୟରେ ବିଦେଶରେ ଭାରତୀୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩୬ରୁ ୬,୩୦୦କୁ ବୃଦ୍ଧି ପାଇବା ବେଶ୍‌ ଚିନ୍ତାଜନକ। ମାର୍ଚ୍ଚ ୧୮ ତାରିଖରେ ବିଦେଶ ମନ୍ତ୍ରାଳୟ ଦ୍ବାରା ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୭୬ ଭାରତୀୟ ବିଦେଶରେ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଏଥିମଧ୍ୟରୁ କେବଳ ୨୫୫ ଜଣ ଇରାନ୍‌ରେ ସଂକ୍ରମିତ ହୋଇଥିଲେ। ଏହି ସଂଖ୍ୟା ୩,୩୩୬ରେ ପହଞ୍ଚିବାପାଇଁ ଗୋଟିଏ ମାସ ଲାଗିଥିଲା। ଅର୍ଥାତ୍‌ ଏପ୍ରିଲ ୧୬ ତାରିଖରେ ସରକାର ସ୍ପଷ୍ଟ କରି କହିଥିଲେ ଯେ, ୩,୩୩୬ ଭାରତୀୟ ବିଦେଶରେ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ୧୦ ଦିନ ମଧ୍ୟରେ ଏହା ୬,୩୦୦ରେ ପହଞ୍ଚିଛି। ତେବେ ବିଦେଶରେ ଥିବା ଭାରତୀୟଙ୍କ ଉତ୍ତମ ଚିକିତ୍ସା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର