ରାହୁଲଙ୍କୁ ସଭାପତି ପାଇଁ ୭ ରାଜ୍ୟ କଂଗ୍ରେସର ପ୍ରସ୍ତାବ ଗୃହୀତ

ଥରୁର୍‌ ବନାମ ଗେହଲଟ ଲଢ଼େଇ! ସୋନିଆଙ୍କୁ ଭେଟିଲେ ଥରୁର

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି କରିବା ପାଇଁ ଦାବି ଜୋର ଧରିଲାଣି। ୭ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ରାହୁଲଙ୍କୁ ସଭାପତି ନିଯୁକ୍ତ କରିବାପାଇଁ ପ୍ରସ୍ତାବ ଗୃହୀତ କରିଛନ୍ତି। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ପ୍ରଥମେ ଏନେଇ ପ୍ରସ୍ତାବ ଗୃହୀତ କରିବାପରେ ଅନ୍ୟ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ଏଥିପାଇଁ ଅନୁମତି ଦେଇଛନ୍ତି। ୨୦୧୭ରେ ରାହୁଲ କଂଗ୍ରେସ ସଭାପତି ହେବା ସମୟରେ ମଧ୍ୟ ଏଭଳି ସମାନ ପ୍ରସ୍ତାବ ଗୃହୀତ ହୋଇଥିଲା। ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡ଼ୁ, ମହା‌ରାଷ୍ଟ୍ର, ହିମା‌ଚଳପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ରାହୁଲଙ୍କୁ ସଭାପତି ନିଯୁକ୍ତ କରିବା ପାଇଁ ଏହି ପ୍ରସ୍ତାବ ଗୃହୀତ ହୋଇଛି। ସଭାପତି ନିର୍ବାଚନ ପାଇଁ ଆସନ୍ତା ୨୪ରେ ପ୍ରାର୍ଥିପତ୍ର ଦାଖଲ ହେବ।

ଥରୁର୍‌ ବନାମ ଗେହଲଟ ଲଢ଼େଇ! ସୋନିଆଙ୍କୁ ଭେଟିଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୧୦ ଜନପଥ ରୋଡ୍‌ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ଆଉ ମାତ୍ର ୪ ଦିନ ପରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବାବେଳେ ଏହା ପୂର୍ବରୁ ଥରୁର ଆଜି ସୋନିଆଙ୍କୁ ଭେଟିବା ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଥରୁର କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିପାରନ୍ତି। ସୋନିଆ ଏଥିପାଇଁ ସବୁଜ ସ‌ଙ୍କେତ ଦେଇଛନ୍ତି। ଜଣେ କଂଗ୍ରେସ ନେତାଙ୍କ ଅନୁଯାୟୀ ସୋନିଆ କହିଛନ୍ତି, ଯିଏ ଚାହିବେ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିପାରିବେ।

ଏଥିରେ କୌଣସି ଆପତ୍ତି ନାହିଁ। ଥରୁର୍‌ ଏନେଇ କିଛି ସ୍ପ‌ଷ୍ଟ କରିନାହାନ୍ତି । କିନ୍ତୁ ସୋନିଆଙ୍କୁ ଭେଟିବାପରେ ସେ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ବଢ଼ିଛି। ଅନ୍ୟପକ୍ଷରେ ସଭାପତି ପଦପାଇଁ ସୋନିଆଙ୍କ ଅନୁଗତ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଲଢ଼ିବା ସମ୍ଭାବନା ରହିଛି। ଏହା ହେଲେ ଥରୁର୍‌ ବନାମ ଗେହଲଟ ଲଢ଼େଇ ଦେଖିବାକୁ ମିଳିପାରେ। ଥରୁରଙ୍କ ସମେତ ଅନ୍ୟ କିଛି ‌ନେତା ତଥା ଦୀପେନ୍ଦ୍ର ହୁଦା, ଜୟ ପ୍ରକାଶ ଅଗ୍ରୱାଲ ଏବଂ ବିଜେନ୍ଦ୍ର ସିଂହ ୧୦ ଜନପଥ ରୋଡ୍‌ରେ ‌‌ସୋନିଆଙ୍କୁ ଭେଟିଛନ୍ତି। ତେବେ ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଥରୁର ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷେ ଉଦୟପୁରରେ କଂଗ୍ରେସର ଯୁବ ନେତାମା‌ନେ ଦଳରେ ସାଂଗଠନିକ ସଂସ୍କାର ଦାବି କରି ଏକ ପିଟିସନ ଆଣିଛନ୍ତି।

ସମ୍ବନ୍ଧିତ ଖବର