ଅନ୍ଧକାରରେ ବୁଡ଼ିଗଲା ଚନ୍ଦ୍ରମା, ତାପମାତ୍ରା ବିଯୁକ୍ତ ୧୭୩ ଡିଗ୍ରି

ଅକ୍ଟୋବର ୧୭ରେ ବିକ୍ରମର ଫଟୋ ଜାରି କରିବ ନାସା

ବେଙ୍ଗାଲୁରୁ: ଚନ୍ଦ୍ରମାର ଦକ୍ଷିଣ ପାର୍ଶ୍ବରେ ଏବେ ଘନ କଳା ରାତ୍ରୀ ଛାଇ ଯାଇଛି। ଏହା ସହିତ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’ ସଂପର୍କରେ ଆଉ କୌଣସି ତଥ୍ୟ ହାସଲ କରିହେବ ନାହିଁ। ଆସନ୍ତାମାସରେ ଚନ୍ଦ୍ରକୁ ସୂର୍ଯ୍ୟାଲୋକ ଫେରିଲେ ହିଁ ବିକ୍ରମର ସ୍ଥିତି ନେଇ ତଥ୍ୟ ମିଳିପାରିବ ବୋଲି ଜଣାପଡ଼ିଛି। ଚନ୍ଦ୍ର ପୃଷ୍ଠରେ ଏବେ ତାପମାତ୍ରା ବିଯୁକ୍ତ ୧୭୩ ଡିଗ୍ରି ସେଲ୍‌ସିୟସ ରହିବ ଏବଂ ଏଭଳି ସ୍ଥିତିରେ ବିକ୍ରମର ସ୍ଥିତି କ’ଣ ହେବ ସେ ସଂପର୍କରେ ଅକ୍ଟୋବରରେ ହିଁ ତଥ୍ୟ ମିଳିପାରିବ। ଆମେରିକାର ମହାକାଶ ପ୍ରତିଷ୍ଠାନ ନାସାର ଲୁନାର ଅର୍ବିଟର ପ୍ରକଳ୍ପ ବୈଜ୍ଞାନିକମାନେ କହିଛନ୍ତି ଯେ ବିକ୍ରମର ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ନିଆଯାଇଥିଲେ ମଧ୍ୟ ଯେଉଁ ସ୍ଥାନରେ ଏହାର ଦୁର୍ଘଟଣାପୂର୍ଣ୍ଣ ଅବତରଣ ହୋଇଥିଲା ତାହାର ସ୍ପଷ୍ଟ ଚିତ୍ର ମିଳିନାହିଁ। ନାସାର ଅର୍ବିଟର ୧୪ ଅକ୍ଟୋବରରେ ବିକ୍ରମ ଲ୍ୟାଣ୍ଡିଂ କରିଥିବା ଅଂଚଳ ଦେଇ ଅତିକ୍ରମ କରିବ ବୋଲି ଜଣାପଡ଼ିଛି । ଅର୍ବିଟର ସେହି ସମୟରେ ଯେଉଁ ଫଟୋ ଉଠାଇବ ତାହାର ଯାଞ୍ଚ ପରେ ୧୭ ଅକ୍ଟୋବରରେ ତାହାକୁ ଜାରି କରାଯିବ ବୋଲି ନାସା ବୈଜ୍ଞାନିକ କହିଛନ୍ତି। ନାସାର ଅର୍ବିଟର ଏବେ ଚନ୍ଦ୍ରପୃଷ୍ଠରୁ ୫୦ କିମି ଉଚ୍ଚରେ ପରିକ୍ରମା କରୁଥିବା ବେଳେ ଭାରତର ଅର୍ବିଟର ୧୦୦ କିମି ଉଚ୍ଚରେ ରହିଛି। ତେଣୁ ନାସା ବିକ୍ରମର ଭଲ ଫଟୋ ଉଠାଇ ପାରିବ ବୋଲି ଆଶା ରହିଛି ।

ସମ୍ବନ୍ଧିତ ଖବର