ସ୍ୱଚ୍ଛ ଅମୃତ ମହୋତ୍ସବ: ବର୍ଜ୍ୟବସ୍ତୁରୁ ଖେଳଣା ପାଇଁ ‘ସ୍ୱଚ୍ଛ ଟଏକାଥନ’ ଆରମ୍ଭ

ଭୁବନେଶ୍ବର : ଭାରତୀୟ ଖେଳଣା ଉଦ୍ୟୋଗକୁ ପରିବେଶ ଅନୁକୂଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କେତେକ ପଦକ୍ଷେପ ଗ୍ରହଣ କରିଛି । ମନ୍ତ୍ରଣାଳୟ ପକ୍ଷରୁ ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀର ଉପଯୋଗ କରି ପୁନଃ ଚକ୍ରଣ ବ୍ୟବସ୍ଥାରେ ଏହା ବ୍ୟବହାର କରିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଜାତୀୟ ଖେଳଣା କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏହି ମନ୍ତ୍ରଣାଳୟ ପକ୍ଷରୁ ଏକ “ସ୍ୱଚ୍ଛ ଟଏକାଥନ” ଆରମ୍ଭ କରାଯାଇଛି । ଆବର୍ଜନାରୁ କଣ୍ଢେଇ ତିଆରି କରିବାରେ ନୂଆ ବିଚାର, ନକ୍ସା ଓ ଉପାୟ ବାହାର କରିବା ପାଇଁ ଏହା ଏକ ଜାତୀୟ ପ୍ରତିଯୋଗିତା । ‘ସ୍ୱଚ୍ଛ ଅମୃତ ମହୋତ୍ସବ’ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ୨୦୨୨ ସେପ୍ଟେମ୍ବର ୧୭ ସେବା ଦିବସରୁ ଆରମ୍ଭ ହୋଇଛି ଏବଂ ୨୦୨୨ ଅକ୍ଟୋବର ୨ ତାରିଖ ସ୍ୱଚ୍ଛତା ଦିବସ ପର୍ଯ୍ୟନ୍ତ ପନ୍ଦର ଦିନ ଚାଲିବ।

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଯୋଶୀ ଏହି ‘ସ୍ୱଚ୍ଛ ଟଏକାଥନ’କୁ ମାଇ ଗଭ୍ ପୋର୍ଟାଲରେ ଅନ୍‌ଲାଇନ ପ୍ଲାଟଫର୍ମରେ ଶୁଭାରମ୍ଭ କରିଛନ୍ତି । ଏଥିସହିତ ଟୁଲ କିଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ଆବର୍ଜନାକୁ ଖେଳନାରେ ପରିଣତ କରିବା ପାଇଁ ନୂଆ କୌଶଳ ଓ ବୁଦ୍ଧି ବାହାର କରିବାକୁ ପ୍ରତିଭାଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବା। ବମ୍ବେ ଇଣ୍ଡଷ୍ଟ୍ରିଆଲ ଡିଜାଇନ ସେଣ୍ଟରର ଅବସାରପ୍ରାପ୍ତ ମୁଖ୍ୟ ପ୍ରଫେସର ଉଦୟ ଅଠ୍ୱଣକର, ଆଇଆଇଟି ଗାନ୍ଧୀନଗରର ପ୍ରଫେସର ମନୀଷ ଜୈନ ଏବଂ ‘ଟଏ ବ୍ୟାଙ୍କ’ର ସୁଶ୍ରୀ ବିଦ୍ୟୁନ ଗୋଏଲ ଏହି ଅବସରରେ ଟଏ-ଗେମ୍ସ ଡିଜାଇନ, କଗ୍‌ନିଟିଭ ସାଇନ୍ସ ଆଦିର ପ୍ରୟୋଗ ଖେଳଣା ଉଦ୍ୟୋଗକୁ କିପରି ବଦଳାଇ ପାରିବ ସେ ସମ୍ପର୍କରେ କହିଥିଲେ।

ଆଇଆଇଟି ଗାନ୍ଧୀନଗରର ସେଣ୍ଟର ଫର କ୍ରିଏଟିଭ ଲର୍ଣ୍ଣିଂର ପ୍ରିନ୍ସପାଲ କୋଅର୍ଡିନେଟର ପ୍ରଫେସର ମନୀଷ ଜୈନ କହିଥିଲେ ଯେ ଖେଳଣା ସର୍ବଦା ପିଲାଙ୍କ ପାଇଁ ଉଭୟ ଆଶ୍ଚର୍ଯ୍ୟ ଓ ଆନନ୍ଦର ବିଷୟ ହୋଇ ରହିବା ଉଚିତ । ଏହା ମାଧ୍ୟମରେ ପିଲାଙ୍କ କଳ୍ପନା ଶକ୍ତି କିପରି ବଢି ପାରିବ ସେଥି ପ୍ରତି ଉପଯୁକ୍ତ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ। ଆବେଦନକାରୀ ୱେବସାଇଟ୍‌ https://innovateindia.mygov.inwachh-toycathon/ ମାଧ୍ୟମରେ ୨୦୨୨ ସେପ୍ଟେମ୍ବର ୨୬ରୁ ନଭେମ୍ବର ୧୧ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିବାକୁ ଆବେଦନ କରି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଆବେଦନକାରୀଙ୍କୁ ତିନିଟି ଯାକ ଥିମ୍ ବା ଯେ କୌଣସି ଗୋଟିଏ ବିଷୟରେ ପ୍ରତିଯୋଗିତାରେ ଭାଗ ନେବାକୁ ଆବେଦନ କରିବାର ସୁଯୋଗ ପ୍ରଦାନ କରାଯାଇଛି। ପ୍ରତିଯୋଗିତାର ତିନିଟିଯାକ ଥିମ୍‌ର ପ୍ରଥମ ତିନିଟିକୁ ପୁରସ୍କୃତ କରାଯିବ । କାନପୁର ଆଇଆଇଟି ବିଜୟୀ ପ୍ରତିଯୋଗୀଙ୍କୁ ଇନ୍‌କ୍ୟୁବେସନ ସହାୟତା ଯୋଗାଇବ। ଶ୍ରେଷ୍ଠ ଡିଜାଇନ ଆଧାରରେ ବର୍ଜ୍ୟବସ୍ତୁରୁ କଣ୍ଢେଇ ତିଆରି କରାଯିବ । ୱେବସାଇଟ୍‌ https://innovateindia.mygov.inwachh-toycathon/ ରେ ସବିଶେଷ ବିବରଣୀ ଉପଲବ୍‌ଧ ରହିଛି।

ସମ୍ବନ୍ଧିତ ଖବର