ନାଥୁରାମ ଗଡ୍‌ସେଙ୍କ ପାଇଁ ମନ୍ଦିର: ଗୋଆଲିଅର ଅଫିସରେ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଆତତାୟୀ ନାଥୁରାମ ଗଡ୍‌ସେଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗୋଆଲିଅର୍‌ ଜିଲ୍ଲା ପ୍ରଶାସନ ଅନୁମତି ନ ଦେଲେ ମଧ୍ୟ ଏଥି ପାଇଁ ଶିଳାନ୍ୟାସ କରିବାକୁ ହିନ୍ଦୁ ମହାସଭାକୁ ଅଟକାଇ ପାରି ନାହିଁ।

ହିନ୍ଦୁ ମହାସଭାର ଦୌଲତାଗଞ୍ଜ କାର୍ଯ୍ୟାଳୟ ଅଞ୍ଚଳରେ ଶିଳାନ୍ୟାସ କରାଯାଇଛି। ଅଫିସରେ ଏଥିପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଗଡ୍‌ସେଙ୍କ ଏକ ପ୍ରତିମୂର୍ତ୍ତିରେ ଆଜି ପୁଷ୍ପାଞ୍ଜଳି ଦିଆଯାଇଥିଲା।

ନାଥୁରାମ ଗଡ୍‌ସେ ଜାତିର ଜନକଙ୍କୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ୧୯୪୯ ମସିହା ନଭେମ୍ବର ୧୫ ତାରିଖ ଦିନ ଫାଶୀ ପାଇଥିଲେ। ତାଙ୍କର ସମର୍ଥକମାନେ ଏହି ଦିନକୁ ‘ତ୍ୟାଗ ଦିବସ’ ରୂପେ ପାଳନ କରନ୍ତି।

ନାଥୁରାମ ଗଡ୍‌ସେଙ୍କ ପାଇଁ ପ୍ରସ୍ତାବିତ ମନ୍ଦିର ତୋଳିବାକୁ ଜମି ପାଇଁ ପୂର୍ବରୁ ହିନ୍ଦୁ ମହାସଭା ଆବେଦନ କରିଥିଲା। ଜିଲ୍ଲା ପ୍ରଶାସନ ଜମି ନିମନ୍ତେ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଥିଲା।

ମହାସଭାର ଜୟବୀର ଭରଦ୍ୱାଜଙ୍କ କହିବାନୁସାରେ, ଜମି ପାଇଁ କରାଯାଇଥବା ଆବେଦନକୁ ଜିଲ୍ଲା ପ୍ରଶାସନ ଖାରଜ କରିବା ପରେ ଦୌଲତାଗଞ୍ଜ ଅଞ୍ଚଳରେ ମନ୍ଦିର ତୋଳିବାକୁ ନିଷ୍ପତ୍ତି ନିଆଯାଇଛି।

ମଧ୍ୟପ୍ରଦେଶ ବିରୋଧୀ ଦଳର ନେତା ଅଜୟ ସିଂହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ ସରକାର ଜାତିର ଜନକଙ୍କ ଆତତାୟୀଙ୍କୁ ସକୌଶଳ ସମର୍ଥନ ଯୋଗାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଟିରେ ମହାତ୍ମା ଗାନ୍ଧୀଙ୍କ ନାଁ ରହିଛି, କିନ୍ତୁ ହୃଦୟରେ ଅଛି ଗଡ୍‌ସେଙ୍କ ନାଅାଁ। ନଚେତ ଗଡ୍‌ସେଙ୍କ ଉଦ୍ଦେଶ୍ୟରେ ମନ୍ଦିର ତୋଳିବା ନିମନ୍ତେ କିପରି ତାଙ୍କ ସମର୍ଥକମାନେ ଉନ୍ମୁକ୍ତରେ ଶିଳାନ୍ୟାସ କରନ୍ତେ ବୋଲି ସାମ୍ବାଦିକମାନଙ୍କୁ ଏକ ଲିଖିତ ସୂଚନା ମାଧ୍ୟମରେ ଜଣାଇଛନ୍ତି ଅଜୟ ସିଂହ।

ସମ୍ବନ୍ଧିତ ଖବର