ଭାରତରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି : ୨୪ ଘଣ୍ଟାରେ ପ୍ରାୟ ୫୦୦୦ ମାମଲା

ଆରୋଗ୍ୟ ହାର ୩୭.୫୧ରେ ପହଞ୍ଚିଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ପ୍ରାୟ ୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୧ ହଜାର ଅତିକ୍ରମ କରିଯାଇଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ୩୭.୫୧ରେ ପହଞ୍ଚିଛି। ୪ଟି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ ଏବଂ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ପରିସ୍ଥିତି ଜଟିଳ ହେଉଥିବାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ୩୧ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କରୋନାଭୂତାଣୁରେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କହାଯାଇଛି। ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ନେଇ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଂଜାବ, ବିହାର ଆଦି ରାଜ୍ୟରେ ଜଟିଳ ସ୍ଥିତି ଉପୁଜିଛି। ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ୁଥିବା ବେଳେ ହିଂସା ମଧ୍ୟ ଦେଖିବାକୁ ମିଳିଛି। ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟମାନେ ଧ୍ୟାନଦେବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି।

ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ, ପୁଲିସ ଏବଂ ସୁରକ୍ଷା ବାହିନୀ ସଦସ୍ୟମାନେ କରୋନା ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଏସ୍‌ଏଫ୍‌ର ୧୦ ଜଣ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୨ ହଜାରରୁ ଅଧିକ ପୁଲିସ ଏବଂ ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଦିନକ ମଧ୍ୟରେ ଆଉ ୬୬ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୨୨ଟି ନୂଆ ମାମଲା ଆସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୮୦୦ରେ ପହଞ୍ଚିଯାଇଛି। ଗୁଜରାଟରେ ଦିନକ ମଧ୍ୟରେ ୩୪୦ ନୂଆ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁରେ ୪୦୦ ନୂଆ ମାମଲା ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଯାଇଛି। କରୋନାଭୂତାଣୁ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ମାମଲା ପଂଜୀକରଣ ପାଇଁ ପ୍ରଥମ ଥର ନିମନ୍ତେ ହେଲ୍‌ପଲାଇନ ନମ୍ବର (୧୮୮୧) ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ଇ-ଫାଇଲିଂ ବାବଦରେ ସହାୟତା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର