କରୋନା ଭୂତାଣୁ ସଂକ୍ରମଣ ମାମଲାରେ ସ୍ପେନ୍‌କୁ ଟପିଲା ରୁଷ୍‌, ୨୪ ଘଣ୍ଟାରେ ୯ ହଜାର ୭୦୯ ନୂଆ ମାମଲା ଚିହ୍ନଟ

ବିଶ୍ବରେ ସର୍ବାଧିକ ପ୍ରଭାବିତ, ରାଷ୍ଟ୍ରସୂଚୀରେ ରୁଷ୍‌ ଦ୍ବିତୀୟ ସ୍ଥାନରେ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ଟପିଯାଇଛି। ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୯୦ ହଜାର ଅତିକ୍ରମ କରିଛି। ରୁଷ୍‌ ଏବେ ସର୍ବାଧିକ ସଂକ୍ରମଣ ମାମଲା ଥିବା ରାଷ୍ଟ୍ର ଭାବେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସ୍ପେନ୍‌‌କୁ ଟପିଯାଇଛି ରୁଷ୍‌। ରୁଷ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯ ହଜାର ୭୦୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୯୪ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌‌ରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୩ ହଜାର ରହିଛି। ଅନ୍ୟପ‌କ୍ଷେ ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୭୮ ହଜାରରେ ପହଞ୍ଚିଛି। ତେବେ ଲାଟିନ୍‌ ଆମେରିକାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ର ବ୍ରାଜିଲ୍‌ ସ୍ପଷ୍ଟ ସଂକ୍ରମଣ ମାମଲାରେ ସ୍ପେନ୍‌ ଏବଂ ଇଟାଲିକୁ ଟପିଯାଇଛି ଏବଂ ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଭାବେ ଚତୁର୍ଥ ସ୍ଥାନରେ ରହିଛି। ବ୍ରାଜିଲ୍‌ରେ ଏବେ ମୋଟ୍‌ ମାମଲା ୨ ଲକ୍ଷ ୩୩ ହଜାର ୫୦୦ ଟପିଛି। ଅନ୍ୟପକ୍ଷେ ଆମେରିକାରେ ୨୪ ଘଣ୍ଟାରେ ପୁଣି ୧୨୨୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ହଜାର ୬୦ ନୂଆ ମାମଲା ଚିହ୍ନଟ ହୋଇଛି।

ଆମେରିକାରେ ଦିନକରେ ୧୨୨୪ ମୃତ
ଚୀନ୍‌ରେ କ୍ଲଷ୍ଟର୍‌ ସଂକ୍ରମଣ, ୮,୦୦୦ କ୍ବାରାଣ୍ଟିନ୍‌ରେ
ବ୍ରିଟେନ୍‌ରେ ନିଯୁକ୍ତ ହେଲେ, ୧୮ ହଜାର କଣ୍ଟାକ୍ଟ ଟ୍ରେସର

ଚୀନ୍‌ରେ ପୁଣି ୧୭ ନୂଆ ମାମଲା ଚିହ୍ନଟ ‌ହେବା ସହ କ୍ଲଷ୍ଟର ସଂକ୍ରମଣ ଠାବ ହୋଇଛି। ୧୭ଟି ନୂଆ ମାମଲାରୁ ୧୨ଟି ମାମଲାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ଏଥିସହ ଚୀନ୍‌ରେ ସଂକ୍ରମଣର କୌଣସି ଲକ୍ଷଣ ନଥିବା ନୂଆ ମାମଲା ୫୧୫ରେ ପହଞ୍ଚିଛି। ଅନ୍ୟପକ୍ଷେ ଉହାନ୍‌ରେ ମାସ୍‌ ଟେଷ୍ଟିଂ ଜାରି ରହିଛି। ୧୧ ନିୟୁତ ଜନସଂଖ୍ୟା ବିଶିଷ୍ଟ ଉହାନ୍‌ରେ ନୂଆ କ୍ଲଷ୍ଟର ସଂକ୍ରମଣ ଆରମ୍ଭ ହେବାପରେ ଉହାନ୍‌ରେ ସମସ୍ତ ବାସିନ୍ଦାଙ୍କ କ‌ରୋନା ପରୀକ୍ଷା କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଉତ୍ତରପୂର୍ବ ଚୀନ୍‌ର ଜିଲିନ୍‌ ପ୍ରଦେଶ ସ୍ଥିତ ଶୁଲାନ୍‌ରେ ଏବେ ପୁଣି ନୂଆ କ୍ଲଷ୍ଟର ସଂକ୍ରମଣ ଆରମ୍ଭ ହୋଇଛି। ଜଣେ ଲଣ୍ଡ୍ରି ମହିଳା ୧୧ ଜଣଙ୍କୁ କରୋନା ସଂକ୍ରମିତ କରିବାପରେ ବିପଦ ବୃଦ୍ଧି ପାଇଛି। ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ଶୁକ୍ରବାର ସୁଦ୍ଧ‌ା ଏହି ପ୍ରଦେଶରେ ୧୨୧ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମଣ ବଢ଼ିବାରୁ ପ୍ରାୟ ୮୦୦୦ ବାସିନ୍ଦାଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଜିଲିନ୍‌ରୁ ୧୩ହଜାର ୧୬୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ୬,୧୯୫ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ‌‌ତେବେ ଚୀନ୍‌ରେ ନୂଆ କ୍ଲଷ୍ଟର ସଂକ୍ରମଣ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଭୟ ସୃଷ୍ଟି କରିଛି। ବ୍ରିଟେନ୍‌ରେ ସଂକ୍ରମଣ ବଢ଼ି ଚାଲିଥିବାରୁ ବ୍ରିଟେନ୍‌ରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ହୋଇଛି। ଏହି ପଦ‌କ୍ଷେପ ଅନ୍ତର୍ଗତ ବ୍ରିଟେନ୍‌ରେ ୧୮ ହଜ‌ାର କଣ୍ଟାକ୍ଟ ଟ୍ରେସରଙ୍କୁ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର