ଭାରତରେ ପ୍ରତି ଘଣ୍ଟାରେ ୬ ଜଣ ବାଇକଚାଳକ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି : ରିପୋର୍ଟ

ନୂଆଦିଲ୍ଲୀ : ଭାରତରେ ପ୍ରତିବର୍ଷ ହେଉଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ବାଇକ ବା ଦୁଇ ଚକିଆ ଯାନ ଦୁର୍ଘଟଣାର ଏକ ବଡ଼ ଭାଗ ରହିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଦ୍ବାରା ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୯ରେ ଭାରତରେ ସଡ଼କ ଦୁର୍ଘଟଣାରେ ଯେତିକି ଲୋକ ମୃତ୍ୟୁବରଣ କରିଥିଲେ, ତାହାର ପ୍ରାୟ ୩୭ ପ୍ରତିଶତ ଥିଲେ ବାଇକ ଚାଳକ । ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୬ ଜଣ ବାଇକ ଚାଳକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।

ବିଶେଷଜ୍ଞଙ୍କ ମତରେ ଭାରତରେ ତ୍ରୁଟିପୂର୍ଣ୍ଣ ଲାଇସେନ୍ସ ବ୍ୟବସ୍ଥା, ଉପଯୁକ୍ତ ତାଲିମର ଅଭାବ, ହେଲମେଟ୍ ନ ପିନ୍ଧିବା ଆଦି ଯୋଗୁଁ ଦୁଇଚକିଆ ଚାଳକମାନେ ଅଧିକ ଦୁର୍ଘଟଣା ଘଟାଉଛନ୍ତି ଓ ମୃତାହତ ହେଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ଠିକ ଭାବରେ ହେଲମେଟ ପିନ୍ଧିବା ଦ୍ବାରା ବାଇକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁସଂଖ୍ୟା ୪୨ ପ୍ରତିଶତ ଓ ମସ୍ତିଷ୍କାଘାତ ସଂଖ୍ୟା ୬୯ ପ୍ରତିଶତ କମାଇହେବ ।

ଏକ ଗବେଷଣା ଅନୁସାରେ ଭାରତରେ ଆର୍ଥିକ ଅଭିବୃଦ୍ଧି ଓ ଲୋକମାନଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ପାଇବା ଫଳରେ ଲୋକମାନେ ଅଧିକ ଗାଡ଼ି କିଣୁଛନ୍ତି । ବିଶେଷକରି ଦୁଇଚକିଆ ଯାନ ବିକ୍ରି ବଢିଚାଲିଛି । ଏହା ଦ୍ବାରା ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢିଚାଲିଛି । ଦୁର୍ଘଟଣାରେ ବାଇକ ଚାଳକମାନେ କେବଳ ମୃତାହତ ହେଉନାହାନ୍ତି, ସେମାନେ ପଦଚାରୀ ଲୋକମାନଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି ।

ସମ୍ବନ୍ଧିତ ଖବର