ବିବାହ ଉତ୍ସବସ୍ଥଳକୁ ମାଡ଼ିଗଲା ଟ୍ରକ୍‌, ୮ ମୃତ, ୬ ଆହତ

ପାଟନା : ଏକ ଅଭାବନୀୟ ଘଟଣାକ୍ରମରେ ବିହାରର ଲାଖିସରାଇ ଜିଲ୍ଲାରେ ଏକ ବିବାହ ଉତ୍ସବସ୍ଥଳକୁ ଟ୍ରକ୍‌ ମାଡ଼ିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗତରାତିର ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଲାଖିସରାଇରୁ ଜାମୁଇର ସିକନ୍ଦରା ଅଭିମୁଖେ ଯାତ୍ରା କରୁଥିବା ଏକ ଟ୍ରକ୍‌ ହାଲ୍‌ସି ବଜାର ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯିବା ଫଳରେ ନିକଟସ୍ଥ ଏକ ବିବାହ ପେଣ୍ଡାଲ୍‌ ଭିତରକୁ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ହସ୍ପିଟାଲ୍‌ରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ ବିବାହ ପେଣ୍ଡାଲ୍‌ଟି ରାସ୍ତା କଡ଼ରେ ଥିବାରୁ ଦୁର୍ଘଟଣାକୁ ଏଡ଼ାଯାଇ ପାରିନଥିଲା। ବର ଘର ପକ୍ଷରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ୟା ପକ୍ଷର ୩ ଜଣଙ୍କ ମୃ୍ତ୍ୟୁ ଘଟିଛି। ମୃତାହତମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ଏବଂ ସେମାନେ ମହାଦଳିତ ସଂପ୍ରଦାୟର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇବାପରେ ଡ୍ରାଇଭର ଜଣକ ଅନ୍ଧାରର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ମୃତ ଏବଂ ଆହତମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦାବି କରି ଲାଖିସରାଇ-ପାଟନା ଜାତୀୟ ରାଜପଥରେ ଆନ୍ଦୋଳନ ଏବଂ ରାସ୍ତାରୋକ କରିଥିଲେ। ତେବେ ପୁଲିସ ହସ୍ତକ୍ଷେପ କରିବାପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର