ସଂସଦ‌ରେ ପୁଣି ଆଦାନି ଝଡ଼; ବିରୋଧୀଙ୍କ ହଟ୍ଟଗୋଳ, ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ସଂସଦରେ ଆଦାନୀ ଝଡ଼ ଥମୁନି। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଷ୍ଟକ୍‌ ଜାଲିଆତି ଅଭିଯୋଗର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରି ବିରୋଧୀ ଦଳ ନେତାମନେ ଗୃହରେ ହଙ୍ଗାମା କରିବାରୁ ଆଜି ମଧ୍ୟ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିନି। ଗତ ଶୁକ୍ରବାର ଦିନ ବି ଏହି ସମାନ କାରଣ ପାଇଁ ଗୃହକାର୍ଯ୍ୟ ମୁଲତବୀ ରହିଥିଲା। ୨ ଦିନ ପରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ଆଦାନୀ- ହିଣ୍ଡେନବର୍ଗ ରିପୋର୍ଟ ଏବଂ ଷ୍ଟକ୍‌ ଜାଲିଆତି ଅଭିଯୋଗ ଉପରେ ଜେପିସି ତଦନ୍ତ ଦାବି କରିଥିଲେ। ବିରୋଧୀ ସଦସ୍ୟଙ୍କ ସ୍ଲୋଗାନ ଏବଂ ହୋହଲ୍ଲା ପାଇଁ ପ୍ରଥମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ସ୍ଥଗିତ ରହିଥିଲା। ଅପରାହ୍ନ ୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବି ସମାନ ସ୍ଥିତି ଲାଗି ରହିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ରଖାଯାଇଛି। ଆଜି ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ଉପରେ ଆଲୋଚନା ହେବାର ଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, ବିରୋଧୀ ଦଳ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କହିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ପ୍ରଥମ ପ୍ରାଥମିକତା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଣ୍ଡେନବର୍ଗ- ଆଦାନୀ ରିପୋର୍ଟ ଉପରେ ଜବାବ ରଖିବା।

ବରିଷ୍ଠ କଂଗ୍ରେସ ‌ନେତା ପି ଚିଦମ୍ବରମ କହିଛନ୍ତି, ଲଗାତାର ୩ ଦିନ ପାଇଁ ବିରୋଧୀ ସଦସ୍ୟମାନେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ମୁଲତବୀ ନୋଟିସ ଦେଇଥିଲେ। କିନ୍ତୁ ଆଜି ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରାଗଲା। ପ୍ରତି ନୋଟିସକୁ କିଭଳି ପ୍ରତ୍ୟାଖ୍ୟାନ କରାଯାଇ ପାରିବ।। ଆମେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚାହୁନା। ଆମେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାହୁ ବୋଲି ଚିଦମ୍ବରମ କହିଛନ୍ତି। ସଂସଦରେ ଆଜି ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧୀ ସଦସ୍ୟମାନେ ଏକାଠି ହୋଇ ଆଦାନୀ ଗ୍ରୁପ୍‌ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଥିଲେ। ଆଦାନୀ ଗ୍ରୁପ୍‌ ବିରୋଧରେ ହୋଇଥିବା ଷ୍ଟକ୍‌ ଜାଲିଆତି ଅଭି‌ଯୋଗ ଉପରେ ଆଲୋଚନା ହେବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର