ଯେତେବେଳେ ଏକ ବଡ ଗଛ ଭାଙ୍ଗିପଡେ…କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ଟ୍ୱିଟ

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ କଂଗ୍ରେସ ନେତା ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ତାଙ୍କ ଦଳର ପୂର୍ବତନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ଟ୍ୱିଟର ମାଧ୍ୟମରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ତାଙ୍କୁ ତାଙ୍କ ଟ୍ୱିଟ୍ ଡିଲିଟ୍ କରିବାକୁ ପଡିଥିଲା। ବାସ୍ତବରେ ଅଧୀର ରଞ୍ଜନ ଏମିତି କିଛି ଟ୍ୱିଟ କରିଦେଇଥିଲେ ଯେଉଁଥିପାଇଁ ତାଙ୍କୁ ଟ୍ୱିଟ ଡିଲିଟ କରିବାକୁ ପଡିଛି | ସେ ଏକ ଗ୍ରାଫିକ୍ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯେଉଁଥିରେ ଲେଖାଥିଲା – ‘ଯେତେବେଳେ ଏକ ବଡ଼ ଗଛ ଭାଙ୍ଗିପଡ଼େ, ଘର ଦୋହଲିଯାଏ’ |

ସୂଚନା ଥାଉ କି ଯେ ରାଜୀବ ଗାନ୍ଧୀ ତାଙ୍କ ମା ଅର୍ଥାତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ ବିରୋଧୀ ଦଙ୍ଗା ବିଷୟରେ ଏହା କହିଥିଲେ । ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଅଧୀର ରଂଜନ କହିଛନ୍ତି ଯେ ମୋର ଏହା ସହ ମୋର କୌଣସି ସମ୍ପର୍କ ନାହିଁ। ବିରୋଧୀ ଦଳ ଦ୍ୱାରା ମୋ ବିରୁଦ୍ଧରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରଚାର ଅଭିଯାନ ଚାଲିଛି | ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ରାଜୀବ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ଫିରୋଜ ଗାନ୍ଧିଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ। ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ସେ ଦେଶର ୬ଷ୍ଠ ତଥା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

୧୯୮୦ ମସିହାରେ ଏକ ଲଢୁଆ ବିମାନ ଦୁର୍ଘଟଣାରେ ସାନଭାଇ ସଞ୍ଜୟଙ୍କର ମୃତ୍ୟୁ ଘଟିବା ପରେ ରାଜୀବ ଗାନ୍ଧୀ ରାଜନୀତିରେ ପ୍ରବେଶ କରିଥିଲେ। ଏହାର ବର୍ଷକ ପରେ ସେ ସଞ୍ଜୟଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠିରୁ ବିଜୟୀ‌ ହୋଇଥିଲେ। ଆଜିକୁ ୩୧ ବର୍ଷ ତଳେ ତାମିଲନାଡୁରେ ଜଣେ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କଦ୍ବାରା କଂଗ୍ରେସ ନେତା ରାଜୀବ ଗାନ୍ଧୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର