ଦିଲ୍ଲୀରେ ପୁଣି ଭୂକମ୍ପ, ଏପ୍ରିଲରୁ ୧୬ ଥର ହେଲାଣି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ପୁଣିଥରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୨.୧ ତୀବ୍ରତାର ଭୂକମ୍ପ ଆଜି ପୁଣିଥରେ ଦିଲ୍ଲୀ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ -ଗୁରଗାଓଁ ସୀମାରେ ଥିବାବେଳେ ଆଜି ଅପରାହ୍ନ ୧ଟାରେ ପ୍ରାୟ ୧୮ କିମି ଗଭୀରତା‌ରେ ଭୂକମ୍ପ ହୋଇଥିଲା। ଉଲ୍ଲେଖଯୋଗ୍ୟ ଏପ୍ରିଲ ମାସରୁ ଆଜି ସୁଦ୍ଧା ଦିଲ୍ଲୀ ଏନ୍‌ସିଆର ନିକଟରେ ୧୬ ଥର ଭୂକମ୍ପ ହେଲାଣି। ଗତ ମାସରେ ମଧ୍ୟ ଘଣ୍ଟାକ ମଧ୍ୟରେ ୨ଟି ଭୂକମ୍ପ ହରିୟାଣାକୁ ଦୋହଲାଇ ଦେଇଥିଲା। ଭୂକମ୍ପର ପ୍ରଭାବ ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଥିଲା। ମେ’ ୨୯ ତାରିଖ ରାତି ୯ଟାରୁ ୧୦ଟା ମଧ୍ୟରେ ରୋହତକ୍‌ରେ ଏହି ଭୂମିକମ୍ପ ହୋଇଥିଲା।

ଏହାର ପୂର୍ବଦିନ ସନ୍ଧ୍ୟାରେ ଫରିଦାବାଦ୍‌ରେ ୨.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ସେହିପରି ମେ’ ୧୫ରେ ୨‌.୨ ତୀବ୍ରତାର ଭୂକମ୍ପ ହୋଇଥିବାବେଳେ କେନ୍ଦ୍ରୀୟ ଦିଲ୍ଲୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ମେ’ ୧୦ରେ ମଧ୍ୟ ଦିଲ୍ଲୀ ଏବଂ ନିକଟସ୍ଥ ଅଞ୍ଚଳରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଥିଲା। ପୂର୍ବରୁ ଏପ୍ରିଲରେ ଲଗାତାର ୨ ଥର ଭୂକମ୍ପ‌ ହୋଇଥିଲା। ତେବେ ଦିଲ୍ଲୀରେ ଲଗାତାର ଭୂକମ୍ପ ହେବାଦ୍ବାରା ଏହା ଆଗକୁ ବଡ଼ ବିପଦ ସୃଷ୍ଟି କରିପାରେ। ଦିଲ୍ଲୀରେ ଆଗକୁ ଏକ ବଡ଼ ଧରଣର ଭୂକମ୍ପ ‌ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର