ପୁଣି କାର୍ଗିଲ୍‌ ହେଲେ ‌ଶେଷ ଯୁଦ୍ଧ ଲଢ଼ାଯିବ: ବାୟୁସେନା ମୁଖ୍ୟ

ସବୁ ଋତୁରେ ବୋମା ବର୍ଷା ପାଇଁ ଭାରତୀୟ ବାୟୁସେନା ସକ୍ଷମ

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧକୁ ୨୦ ବର୍ଷ ପୂର୍ତ୍ତି ହେବା ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ପାକିସ୍ତାନକୁ କଡ଼ା ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ ଯଦି ଦ୍ବିତୀୟ ଥର ପାଇଁ କାର୍ଗିଲ ପରିସ୍ଥିତି ଆସିବ ତା’ହେଲେ ଭାରତ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହେବ ଏବଂ ଏହା ଶେଷ ଯୁଦ୍ଧ ହେବ। ପାକିସ୍ତାନର ନାମ ନନେଇ ଧନୋଆ କହିଥିଲେ, ପଡ଼ୋଶୀ ରାଷ୍ଟ୍ରର ଯେ କୌଣସି ଆକ୍ରମଣ ପାଇଁ ଏହାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ନୂଆଦିଲ୍ଲୀରେ ‘ଅପରେସନ ସଫେଦ୍‌ ସାଗରର ୨୦ ବର୍ଷ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଧନୋଆ କହିଥିଲେ, ଭାରତ ସବୁ ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି। କାର୍ଗିଲ ଭଳି ଲଢ଼େଇ, ଆତଙ୍କବାଦୀ ଆକ୍ରମଣର ମୁକାବିଲା କିମ୍ବା ସଂପୂର୍ଣ୍ଣ ଯୁଦ୍ଧ ପାଇଁ ଭାରତୀୟ ବାୟୁସେନା ତୟାର ରହିଛି ବୋଲି ସେ କହିଛନ୍ତି। କାର୍ଗିଲ ଯୁଦ୍ଧ ସମୟରେ ଧନୋଆ ୧୭ ସ୍କାଡ୍ରନର କମାଣ୍ଡିଂ ଅଫିସର ଥିଲେ ଏବଂ ଶ୍ରୀନଗରରେ ଦାୟିତ୍ବ ନିର୍ବାହ କରୁଥିଲେ। କାର୍ଗିଲରୁ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ‘ଅପରେସନ ବିଜୟ’ ସମୟରେ ବାୟୁସେନା ‘ଅପରେସନ ସଫେଦ୍‌ ସାଗର’ ଚଳାଇଥିଲା।
କାର୍ଗିଲ ପରେ ବାୟୁସେନାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ବାୟୁସେନା ଏବେ ପାରମ୍ପରିକ ଏବଂ ଅଣପାରମ୍ପରିକ ଯୁଦ୍ଧ ସମୟରେ ଯେ କୌଣସି ବିପଦର ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ସକ୍ଷମ ବୋଲି ଧନୋଆ କହିଛନ୍ତି। କାର୍ଗିଲ ଯୁଦ୍ଧ ସମୟରେ ସଠିକ୍‌ ବୋମାବର୍ଷା କରିବାର କ୍ଷମତା କେବଳ ମିରାଜ ୨୦୦୦ ଯୁଦ୍ଧ ବିମାନର ଥିଲା, କିନ୍ତୁ ଏବେ ଏଥିରେ ସୁଖୋଇ ୩୦, ଜାଗୁଆର୍‌, ମିଗ୍‌ ୨୯ ସାମିଲ ହୋଇଛି । ବାୟୁସେନା ନିକଟରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏବଂ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର