କୃଷି ବିଲ୍‌ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ବିରୋଧୀ

କୃଷକଙ୍କ ପାଇଁ ଏହା ବହୁତ ବଡ଼ ଅନ୍ୟାୟ: ଟିଆର୍‌ଏସ୍‌

ମୁମ୍ବାଇ: ସରକାରଙ୍କ ଦ୍ବାରା ଅଣାଯାଇଥିବା କୃଷି ବିଲ୍‌କୁ ବିରୋଧୀ ଦଳ ଗୁଡ଼ିକ ଆଜି ପ୍ରବଳ ବିରୋଧ କରିଛନ୍ତି। ଖାଲି ବିରୋଧୀ ଦଳ ନୁହନ୍ତି ପୂର୍ବରୁ ଏନ୍‌ଡିଏର ମେଣ୍ଟ ସହଯୋଗୀ ସିରୋମଣି ଅକାଳୀ ଦଳ ମଧ୍ୟ ବିଲ୍‌କୁ ପ୍ରବଳ ବିରୋଧ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍‌ସିମରତ କୌର ବାଦଲ ବିଲ୍‌କୁ ବିରୋଧ କରି ଗତ ଗୁରୁବାର ଇସ୍ତଫା ଦେଇ ସାରିଛନ୍ତି। ଅନ୍ୟପକ୍ଷେ ବିରୋଧୀ ଦଳ କଂଗ୍ରେସ, ଶିବସେନା ଏବଂ ଟିଆରଏସ୍‌ ମଧ୍ୟ ଏହି ବିଲ୍‌କୁ ପ୍ରବଳ ବିରୋଧ କରିଛନ୍ତି। କଂଗ୍ରେସ ପକ୍ଷରୁ ଦାବି ହୋଇଛି ସରକାରଙ୍କ ଦ୍ବାରା ଅଣାଯାଇଥିବା କୃଷି ବିଲ୍‌ ଖାଦ୍ୟ ସୁରକ୍ଷା ପଦ୍ଧତିକୁ ଦୁର୍ବଳ କରିଦେଇଛି। ସବୁ ବିରୋଧୀ ଦଳ ଗୁଡ଼ିକ ମିଳିତ ଭାବେ ଏହି ବିଲ୍‌କୁ ପ୍ରବଳ ବିରୋଧ କରିବା ଉଚିତ୍‌। ଫଳରେ ଏହା କେବେ ବି ଆଇନରେ ପରିଣତ ହୋଇପାରିବ ନାହିଁ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ବିଜେପି ସରକାର କୃଷକଙ୍କ କଥା ଶୁଣୁନାହିଁ।

ବିରୋଧୀ ଦଳ ଏକଜୁଟ୍‌ ହେବାକୁ କ‌ଂଗ୍ରେସର ଆହ୍ବାନ
ମେଣ୍ଟ ସହଯୋଗୀଙ୍କ ବିନା ପରାମର୍ଶରେ ମୋଦୀ ସରକାର କୃଷି ବିଲ୍‌ ଗୃହୀତ କରିଛନ୍ତି: ଶିବ ସେନା
କୃଷକଙ୍କ ପାଇଁ ଏହା ବହୁତ ବଡ଼ ଅନ୍ୟାୟ: ଟିଆର୍‌ଏସ୍‌

କେନ୍ଦ୍ର ସରକାର ଏହାର କୋଟିପତି ବନ୍ଧୁଙ୍କୁ କୃଷିକ୍ଷେତ୍ରକୁ ଆଣିବାପାଇଁ ବୋଧେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। କୃଷକଙ୍କ ପାଇଁ ଏହା ଅତ୍ୟନ୍ତ ଜଟିଳ ସମୟ। ସରକାର କୃଷକମାନଙ୍କୁ ସେମାନଙ୍କ କ୍ରୟ ପ୍ରକ୍ରିୟାରେ ଏବଂ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ ସହଯୋଗ କରିବା ଉଚିତ୍‌। କିନ୍ତୁ ସରକାର ଏହାର ଠିକ୍‌ ଓଲଟା କରୁଛନ୍ତି ବୋଲି ସେ କହିଛନ୍ତି। କୃଷି ବିଲ୍‌କୁ ବିରୋଧ କରି ଆଜି ପଂଜାବ, ହରିୟାଣା ଏବଂ ତେଲେଙ୍ଗାନାରେ କୃଷକ ଆନ୍ଦୋଳନ ହୋଇଛି। କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ କହିଛନ୍ତି, କଂଗ୍ରେସର ୨୦୧୯ ନିର୍ବାଚନୀ ଇସ୍ତାହାର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାପାଇଁ ଏମ୍‌ଏସ୍‌ପିର ମୂଳ ନୀତି, ସରକାରୀ କ୍ରୟ ବ୍ୟବସ୍ଥା ଏବଂ ପିଡିଏସ୍‌ (ସାଧାରଣ ବଣ୍ଟନ ବ୍ୟବସ୍ଥା) ଉପରେ ଆଧାରିତ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ମୁଖପାତ୍ର ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସର ଇସ୍ତାହାରକୁ ବିକୃତ କରିଛନ୍ତି ବୋଲି ଚିଦମ୍ବରମ ଅଭିଯୋଗ କରିଛନ୍ତି। କଂଗ୍ରେସ କୃଷକଙ୍କୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ବ୍ୟବସାୟୀଙ୍କ ନିକଟରେ ଆତ୍ମସମର୍ପଣ କରିଦେଇଛନ୍ତି। ପ୍ରତି ରାଜନୈତିକ ଦଳ ଏହି ବିଲ୍‌ ବିରୋଧରେ ଏକଜୁଟ୍‌ ହେବା ଉଚିତ୍‌ ବୋଲି ଚିଦମ୍ବରମ କହିଛନ୍ତି।

ଶିବସେନା ପକ୍ଷରୁ ଅଭିଯୋଗ ହୋଇଛି ଯେ, କେନ୍ଦ୍ର ସରକାର ମେଣ୍ଟ ସହଯୋଗୀ, କୃଷକ ସଂଗଠନ ଏବଂ ବିରୋଧୀ ଦଳଙ୍କ ସହ ପରାମର୍ଶ ନକରି କୃଷି ବିଲ୍‌ ସଂସଦରେ ଆଗତ କରିଛନ୍ତି। ହରସିମ୍‌ରତ କୌର ବାଦଲଙ୍କ ଇସ୍ତଫା ସହ ଏହି ପ୍ରସଙ୍ଗ ପଦାକୁ ଆସିଛି ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ଶିବସେନାର ମୁଖପତ୍ର ସାମ୍‌ନାରେ କୁହାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ବିଜେପି ନେତା ଏଲ୍‌ କେ ଆଡଭାନୀଙ୍କ ବେଳେ ସମୟ ଅଲଗା ଥିଲା। କିନ୍ତୁ ଏବେ ସ୍ଥିତି ଭିନ୍ନ ରହିଛି। ମୋଦୀ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମେଣ୍ଟ ସହଯୋଗୀମାନଙ୍କ ସହ ପରାମର୍ଶ କରୁନାହାନ୍ତି। ଅନ୍ୟପକ୍ଷେ ଟିଆର୍‌ଏସ୍‌ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଛି। ଟିଆର୍‌ଏସ୍‌ ମୁଖ୍ୟ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ଏହି ବିଲ୍‌ କୃଷକମାନଙ୍କ ପାଇଁ ବହୁତ ଅନ୍ୟାୟ ହେବ। ଏହାକୁ ଟିଆର୍‌ଏସ୍‌ ତୀବ୍ର ବିରୋଧ କରୁଛି। ସଂସଦରେ ମଧ୍ୟ ଟିଆର୍‌ଏସ୍‌ ଏହାକୁ ବିରୋଧ କରିବ ବୋଲି ଚନ୍ଦ୍ରଶେଖର ରାଓ ସ୍ପ‌ଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର