ଜେଲରେ ଥିବା ଅସୁସ୍ଥ ବରବରା ରାଓଙ୍କୁ ଭିଡିଓ କଲ କରିବାକୁ ଅନୁମତି ମାଗିଲେ ପତ୍ନୀ

ହାଇଦ୍ରାବାଦ : ଏଲଗାର ପରିଷଦ ମାମଲାରେ ଜେଲରେ ଥିବା ବିପ୍ଲବୀ କବି ବରବରା ରାଓ ଅସୁସ୍ଥ ଥିବାରୁ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ଲାଗି ତାଙ୍କ ସହିତ ଭିଡିଓ କଲ କରିବାକୁ ଅନୁମତି ଲୋଡ଼ିଛନ୍ତି ତାଙ୍କ ପତ୍ନୀ ପି.ହେମଲତା ।

ଏକ ଖୋଲା ଚିଠି ଲେଖି ସେ ଏହି ନିବେଦନ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ଶୁକ୍ରବାର ରାତିରେ ଚିକାଡପାଲ୍ଲି ପୁଲିସ ଷ୍ଟେସନରୁ ତାଙ୍କ ପାଖକୁ ଏକ ବାର୍ତ୍ତା ଆସିଲା ଯେ ତାଲୋଜା ଜେଲରେ ଥିବା ରାଓ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇର ଜେଜେ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ତାଙ୍କ ପରିବାରକୁ ଚିନ୍ତିତ କରିଛି । ଏଥିପାଇଁ ସେ ତାଙ୍କୁ ଭେଟିବାକୁ ଅନୁମତି ମାଗିଛନ୍ତି କିନ୍ତୁ ଏହା ସମ୍ଭବ ନହେଲେ ଅନ୍ତତଃ ଏକ ଭିଡିଓ କଲ କରିବାକୁ ସୁଯୋଗ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି ।

ଗତ ଗୁରୁବାରଦିନ ରାଓ ହଠାତ ଚେତା ହରାଇବାରୁ ତାଙ୍କୁ ଚିକିତ୍ସା ପାଇଁ ଜେଜେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହାର ଦିନକ ପରେ ଏ ସମ୍ପର୍କରେ ପରିବାରକୁ ସୂଚନା ଦିଆଗଲା । କିନ୍ତୁ ଆଉ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କୁ ପ୍ରାୟ ତିନିଦିନ ଜେଲରେ ଚିକିତ୍ସା କରାଯିବା ପରେ ସ୍ଥିତିରେ ସୁଧାର ନ ଆସିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଓଡ଼ିଶାରେ ହେଉଥିବା ପୁଲିସର ମାଓଦମନ ଅଭିଯାନକୁ ସେ ଅନେକ ସମୟରେ ସମାଲୋଚନା କରିଆସିଛନ୍ତି । ୨୦୧୬ରେ ଆନ୍ଧ୍ର-ଓଡିଶା ସୀମାରେ ହୋଇଥିବା ଏନକାଉଣ୍ଟରକୁ ନକଲି ବୋଲି ଦର୍ଶାଇ ସେ ସମାଲୋଚନା କରିଥିଲେ ଓ ମୃତ ୬ ଜଣ ମାଓବାଦୀଙ୍କ ଶବ ନେବା ପାଇଁ ସେ ମାଲକାନଗିରି ଆସିଥିଲେ । ସେହିପରି ମାଓବାଦୀଙ୍କ ଦ୍ବାରା ଅପହୃତ ଆଇଏଏସ ଭିନିଲ କ୍ରିଷ୍ଣା ଓ ଇଟାଲୀ ପର୍ଯ୍ୟଟକଙ୍କ ମୁକ୍ତି କ୍ଷେତ୍ରରେ ତାଙ୍କର ଭୂମିକା ଥିବା କୁହାଯାଇଥିଲା ।

ସମ୍ବନ୍ଧିତ ଖବର