ଇଂରାଜୀ ଶବ୍ଦ ‘ବାଲେଷ୍ଟ୍‌’କୁ ‘ବ୍ଲାଷ୍ଟ୍‌’ ଭାବି ଭୋପାଳ ବିମାନ ବନ୍ଦରରେ ନିରାପତ୍ତା ଆତଙ୍କ ସୃଷ୍ଟି କଲେ ଏୟାର୍‌ଲାଇନ୍‌ କର୍ମଚାରୀ

ଭୋପାଳ: ଇଂରାଜୀ ଶବ୍ଦ ‘ବାଲେଷ୍ଟ୍‌’କୁ ‘ବ୍ଲାଷ୍ଟ୍‌’ ବୋଲି ବିଚାରି ଜଣେ ଏୟାର୍‌ଲାଇନ୍‌ କର୍ମଚାରୀ ଭୋପାଳର ରାଜା ଭୋଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିରାପତ୍ତା ଆତଙ୍କ ସୃଷ୍ଟି କରିବା ସହ ବିମାନ ବନ୍ଦରରେ ସତର୍କ ଘଣ୍ଟି ବଜାଇବାର କାରଣ ହୋଇଥିବା କଥା ଶୁକ୍ରବାର ଦିନ ସରକାରୀ କର୍ମଚାରୀମାନେ କହିଛନ୍ତି।

ବିମାନ ବନ୍ଦରର କର୍ମଚାରୀଙ୍କ କହିବା ଅନୁସାରେ, ଘଟଣାଟି ଗୁରୁବାର ସକାଳେ ଘଟିଥିଲା।

Image Courtesy of NDTV

ବିମାନ ବନ୍ଦର କର୍ତ୍ତୃପକ୍ଷ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ସକାଳ ୯.୨୫ରେ ଇଣ୍ଡିଗୋ ଟିକେଟ୍‌ କାଉଣ୍ଟର୍‌ ଗୋଟାଏ ଫୋନ୍‌ କଲ୍‌ ପାଇ‌ଲା। ଫୋନ୍‌ କରିଥିବା ବ୍ୟକ୍ତିଜଣକ ଆଗ୍ରା ଅଭିମୁଖେ ଯାଉଥିବା ‘୬ଇ-୭୩୧’ ବିମାନରେ ‘ବାଲେଷ୍ଟ୍‌’ (କୌଣସି ଭାରୀ ସାମଗ୍ରୀ) ସଂକ୍ରାନ୍ତରେ ଅନୁସନ୍ଧାନ କରୁଥିଲେ। କିନ୍ତୁ, ଇଣ୍ଡିଗୋ କର୍ମଚାରୀଜଣକ ଏହାକୁ ଭୁଲ୍‌କ୍ରମେ ‘ବ୍ଲାଷ୍ଟ୍‌’ (ବିସ୍ଫୋରଣ) ଧରିନେଲେ। ତେଣୁ, ‘ବମ୍ ଥ୍ରେଟ୍‌ ଆସେସ୍‌ମେଣ୍ଟ୍‌ କମିଟି’ ଡକାଗଲା ଏବଂ ସବୁ କଥା ବିଶ୍ଳେଷଣ କରାଯିବା ପରେ କମିଟି ଏହି ଫୋନ୍‌ କଲ୍‌କୁ ‘ନନ୍‌-ସ୍ପେସିଫିକ୍‌’ ବୋଲି ଘୋଷଣା କରିଥିଲା।

Image Courtesy of Zee News

ବିମାନ ବନ୍ଦରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅମୃତ ମିଞ୍ଜ୍‌ କହିଛନ୍ତି, ବିମାନ ବନ୍ଦରରେ ଜରୁରୀ ପରିସ୍ଥିତି ଜାରି ହେବାରୁ ସମସ୍ତ ନିରାପତ୍ତା ବ୍ୟବସ୍ଥାକୁ ସକ୍ରିୟ କରାଯାଇଥିଲା।

ସୂଚନାଯୋଗ୍ୟ, ‘ବାଲେଷ୍ଟ୍‌’ର ଅର୍ଥ ହେଉଛି ଅତିରିକ୍ତ ଓଜନ। ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେଲେ ଉଡ଼ନ୍ତା ବିମାନର ଭାରସାମ୍ୟ ରକ୍ଷା କରିବା ଲାଗି ଅତିରିକ୍ତ ଓଜନ ବା ‘ବାଲେଷ୍ଟ୍‌’ ଲୋଡ୍‌ କରାଯାଇଥାଏ।

ଆଜି ବିମାନ ବନ୍ଦରର ଜଣେ କର୍ମଚାରୀ କହିଛନ୍ତି ଯେ, ଅଳ୍ପ ଦିନ ହେବ ଉକ୍ତ ମହିଳା କର୍ମଚାରୀଜଣକ ଚାକିରିରେ ଯୋଗ ଦେଇଛନ୍ତି। ସେ ‘ବାଲେଷ୍ଟ୍‌’ ଏବଂ ‘ବ୍ଲାଷ୍ଟ୍‌’ ମଧ୍ୟରେ ଥିବା ଫରକ୍‌ ଜାଣି ନ ପାରିବାରୁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେଲା। ଗୁରୁଗ୍ରାମର କୌଣସି ବ୍ୟକ୍ତିଙ୍କଠାରୁ ସେ ଉକ୍ତ କଲ୍‌ ରିସିଭ୍‌ କରିଥିଲେ।

ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର