କେଜ୍ରିୱାଲ ପଛକୁ ହଟିବେ ନାହିଁ ବୋଲି କି ଗ୍ୟାରେଣ୍ଟି ଅଛି: ଅକାଳି ଦଳ

ଚଣ୍ଡିଗଡ଼ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପଂଜାବରେ ଲୋକଙ୍କୁ ଯେଉଁସବୁ ‘ଗ୍ୟାରେଣ୍ଟି’ ଦେଉଛନ୍ତି ଅସଲରେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଅକାଳି ଦଳ କହିଛି। ଦିଲ୍ଲୀ ମଡେଲରେ ପଞ୍ଜାବରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଜାଣି ମଧ୍ୟ କେଜ୍ରିୱାଲ ୧୬ ହଜାର ଗ୍ରାମରେ କ୍ଲିନିକ୍‌ ଖୋଲିବାକୁ ପ୍ରତିଶ୍ରୁତି ଦେଇ ପଞ୍ଜାବୀମାନଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି ଅକାଳି ଦଳ ସଭାପତି ସୁଖ୍‌ବୀର ସିଂହ ବାଦଲ କହିଛନ୍ତି।

କେଜ୍ରିୱାଲ ଗତକାଲି ଲୁଧିଆନାରେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ, ପଞ୍ଜାବରେ ଆପ୍‌ କ୍ଷମତାକୁ ଆସିଲେ ଦିଲ୍ଲୀ ମଡେଲ ଆଧାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବ। ପଞ୍ଜାବର ୧୬ ହଜାର ଗାଁରେ ମଡେଲ କ୍ଲିନିକ୍‌ ଖୋଲାଯିବ ବୋଲି ସେ କହିଛନ୍ତି। ବାଦଲ କହିଛନ୍ତି ଦିଲ୍ଲୀରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧିକୁ ନେଇ କେଜ୍ରିୱାଲ ମିଛ କହୁଛନ୍ତି। ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ସ୍ବାସ୍ଥ୍ୟସେବାରେ ବିପର୍ଯ୍ୟୟ ଘଟିଛି। କେଜ୍ରିୱାଲ ପଂଜାବର ସ୍ବାର୍ଥ ପାଇଁ ନିଷ୍ଠାର ସହ କିଛି କରିବା ବଦଳରେ କେବଳ ଲୋକଙ୍କୁ ମିଛ ପ୍ରତିଶୃତି ଦେଉଛନ୍ତି ବୋଲି ବାଦଲ କହିଛନ୍ତି।

ସମ୍ବନ୍ଧିତ ଖବର