ଆମେରିକା ଜାଗ୍ରତ ହୋଇଛି: ରୁଷ୍‌କୁ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଚେତାବନୀ

ଓ୍ଵାସିଂଟନ୍‌: ରୁଷୀୟ ବିରୋଧୀ ନେତା ଆଲେକ୍ସି ନଭଲନିଙ୍କୁ ତୁରନ୍ତ ମୁକ୍ତ କରିବାକୁ କହିବା ସହ ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ନିର୍ଦେଶମତେ କାର୍ଯ୍ୟ କରିବା ସମୟର ଅବସାନ ଘଟିଛି।

ରାଷ୍ଟ୍ରପତି ଭାବେ ବୈଦେଶିକ ବିଭାଗକୁ ପ୍ରଥମ ପରିଦର୍ଶନ ସମୟରେ ବାଇଡେନ୍‌ ପୁଟିନ୍‌ଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ନଭଲନିଙ୍କୁ କାରାବନ୍ଦୀ କରାଯିବା ପରେ ସମଗ୍ର ରୁଷ୍‌ରେ ବ୍ୟାପକ ପ୍ରତିବାଦ ଆରମ୍ଭ ହୋଇଛି। ବହୁସଂଖ୍ୟକ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି।

ରିପବ୍ଲିକାନ୍‌ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ପରେ ପୁଟିନ୍‌ଙ୍କ ଠାରୁ ସେ ହଠାତ୍‌ ଦୂରେଇ ଯାଉଛନ୍ତି ବୋଲି ସମଗ୍ର ବିଶ୍ୱକୁ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ଆମେରିକାର ନୂତନ ରାଷ୍ଟ୍ରପତି ଉଦ୍ୟମ କରିଛନ୍ତି ବୋଲି କୁହାଯାଇପାରେ। ପ୍ରତ୍ୟକ୍ଷଭାବେ ନ ହେଲେ ମଧ୍ୟ ଟ୍ରମ୍ପ୍‌ ପରୋକ୍ଷରେ ରୁଷୀୟ ନେତା ପୁଟିନ୍‌ଙ୍କ ପ୍ରରୋଚନାରେ ପଡୁଥିଲେ।

Image Courtesy of NDTV

ଦୁର୍ନୀତି ବିରୋଧୀ ପ୍ରଚାରକ ଏବଂ ପୁଟିନ୍‌ଙ୍କର ପରମ ରାଜନୈତିକ ଶତ୍ରୁ ନଭଲନିଙ୍କୁ ଜାନୁଆରି ୧୭ ତାରିଖରେ ଗିରଫ କରାଯାଇଛି। ନର୍ଭ ଗୁପ୍ତଚରଙ୍କଦ୍ୱାରା ବିଷକ୍ରିୟାରେ ଆକ୍ରାନ୍ତ ହୋଇ କୋମା ଅବସ୍ଥାରେ ଥିବା ନଭଲନି ଜର୍ମାନିରେ ୫ ମାସ କାଳ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ରୁଷ୍‌କୁ ଫେରିଥିଲେ। ଏହି ଗୁପ୍ତ ବିଷକ୍ରିୟା ନିମନ୍ତେ ସେ କ୍ରେମ୍‌ଲିନ୍‌କୁ ଦାୟୀ କରିଥିଲେ।

ବାଇଡେନ୍‌ କହିଛନ୍ତି, ମୋ ପୂର୍ବର ରାଷ୍ଟ୍ରପତିଙ୍କ ଠାରୁ ଖୁବ୍‌ ଭିନ୍ନ ଭାବେ ମୁଁ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଏକଥା ସ୍ପଷ୍ଟ ଭାବେ ଜଣାଇ ଦେଉଛି ଯେ,  ଆମ ନିର୍ବାଚନରେ ହସ୍ତକ୍ଷେପ କରିବା, ସାଇବର୍‌ ଆକ୍ରମଣ କରିବା, ନାଗରିକମାନଙ୍କୁ ବିଷ ଦେବା ଆଦି ବ୍ୟାପାରର ସମୟ ଶେଷ ହୋଇଛି। ଆମର ଏବଂ ଆମ ଦେଶବାସୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ରୁଷ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦ୍ୱିଧାବୋଧ କରିବୁ ନାହିଁ।

ସମ୍ବନ୍ଧିତ ଖବର