ପାକିସ୍ତାନକୁ ଧମକାଇଲା ଆମେରିକା, ଆତଙ୍କବାଦୀଙ୍କୁ ନିପାତ କର

ୱାସିଂଟନ୍‌: ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୂର୍ବରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଆସିଥିବା ଆମେରିକା ଆଜି ପୁଣିଥରେ ଏନେଇ ପାକିସ୍ତାନକୁ ଧମକାଇଛି। ପାକିସ୍ତାନ ମାଟିରେ ଚାଲିଥିବା ଅବାଧ ଆତଙ୍କବାଦ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ବିରୋଧରେ ପାକିସ୍ତାନ ଏବେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆମେରିକା କହିଛି। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଶିବିରକୁ ଭାରତ ଟାର୍ଗେଟ୍‌ କରିବାପରେ ଏବେ ପାକିସ୍ତାନ ଏହାର ଗୁରୁତ୍ବ ବୁଝିବା ଉଚିତ୍‌ ଏବଂ ତୁରନ୍ତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏହି ଲଢ଼େଇରେ ନିଜର ପାରିଦର୍ଶିତା ଦେଖାଇବା ଆବଶ୍ୟକ ବୋଲି ଆମେରିକା କହିଛି। ଆମେରିକାର ବି‌‌ଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିବୃତିକୁ ଜାରି କରି କହିଛନ୍ତି ଯେ ଭାରତୀୟ ବାୟୁସେନା ଦ୍ବାରା ବାଲାକୋଟ୍‌ରେ ହୋଇଥିବା ବିମାନ ଆକ୍ରମଣ ହେଉଛି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ। ତେବେ ପାକିସ୍ତାନ ଏ କ୍ଷେତ୍ରରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥିତିକୁ ଆହୁରି ଭୟଙ୍କର କରିବା ଅନୁଚିତ୍‌। ଏଭଳି ପରିସ୍ଥିତିରେ ପାକିସ୍ତାନ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉଚିତ୍‌ ବୋଲି ପୋମ୍ପିଓ ଆଜି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶିଙ୍କୁ କହିଛନ୍ତି। ଭାରତ ନିଜର ଆତ୍ମରକ୍ଷା ପାଇଁ ଆତଙ୍କବାଦୀଙ୍କ ଘାଟି ନଷ୍ଟ କରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ପାକ୍‌କୁ ସ୍ପଷ୍ଟ ଜଣାଇ ଦେଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମ ରକ୍ଷା କରିବାକୁ ଟ୍ରମ୍ପ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର