ରାଜ୍ୟସଭାରେ ଗୁଲାମ ନବିଙ୍କୁ ଭାବପ୍ରବଣ ବିଦାୟ, ମୋଦୀଙ୍କ ଆଖିରେ ଲୁହ

ପଦବିର ମହତ୍ତ୍ବ ଆଜାଦଙ୍କ ଠାରୁ ଶିଖିବା ଉଚିତ: ମୋଦୀ

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବି ଆଜାଦ୍‌ଙ୍କୁ ଆଜି ଅବସରକାଳୀନ ସମ୍ଭାଷଣ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା। ଏପରିକି ସେ ଆଜାଦ୍‌ଙ୍କ ସ୍ମୂତିକୁ ଉଦ୍ଧାର କରି ନିଜ ଅଭିଭାଷଣରେ ଉଲ୍ଲେଖ କଲା ବେଳେ ଅନେକ ଥର ନିଜ କୋହକୁ ସମ୍ଭାଳି ପାରିନଥିଲେ। ଆଜାଦ୍‌ଙ୍କୁ ଆବେଗପୂର୍ଣ୍ଣ ବିଦାୟ ଜଣାଇ ସେ ତାଙ୍କୁ ଜଣେ ଦକ୍ଷ ବିରୋଧୀ ଦଳ ନେତା ଭାବେ ବର୍ଣ୍ଣନା କରିଛନ୍ତି। ଆଜାଦ ଜଣେ ସାଂସଦ ଓ ବିରୋଧୀ ଦଳ ନେତା ହିସାବରେ ନିଜ ପଦବିର ଗରିମାକୁ ଢେର ଉଚ୍ଚକୁ ନେଇଥିଲେ ବୋଲି ମୋଦୀ କହିଛନ୍ତି।

ବିଶେଷ କରି ଉଭୟଙ୍କ ମୁଖ୍ୟମନ୍ତ୍ରୀତ୍ବ(ଗୁଜରାଟ, ଜାମ୍ମୁକାଶ୍ମୀର) କାଳରେ ୨୦୦୭ ମସିହାରେ କାଶ୍ମୀର ଯାଇଥିବା ଦଳେ ଗୁଜରାଟୀ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଜାଦ୍‌ ଯେପରି ତତ୍କାଳ ସୂଚନା ଦେବା ସହ ସେମାନଙ୍କୁ ନିଜ ପରିବାର ସଦସ୍ୟ ଭାବେ ବ୍ୟବହାର କରିଥିଲେ ତାହା ସେ କେବେ ଭୁଲିପାରିବେନି ବୋଲି ମୋଦୀ କହିଛନ୍ତି। ପଦପଦବି ଆସିବ ଓ କ୍ଷମତା ମଧ୍ୟ ଆସିବ, ତେବେ ତାହାକୁ କିପରି ପରିଚାଳନା କରିବାକୁ ହେବ ତାହା ଆଜାଦ୍‌ଙ୍କ ଠାରୁ ହିଁ ଜଣେ ଶିଖିବା ଉଚିତ୍‌ ବୋଲି ସେ କହିଛନ୍ତି। ସେହିପରି ନିଜ ଦଳର କଥା ଭାବିବା ସହ ଦେଶ ଏବଂ ସଂସଦର କଥା ବିଚାର କରୁଥିବା ଆଜାଦଙ୍କ ସ୍ଥାନ କେହି ପୂରଣ କଲେ ବି ତାଙ୍କ କାର୍ଯ୍ୟଶୈଳୀ ସହ ସମାନ ହେବ ନାହିଁ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର