ଏନ୍‌ସିପି ଉପରେ ଚଡ଼କ: ଅନିଲ ଦେଶମୁଖ ଗିରଫ, ଅଜିତ ପାୱାରଙ୍କ ୧୦୦୦ କୋଟିର ସମ୍ପତ୍ତି ଜବତ

ଶରଦ ପାୱାରଙ୍କ ଦଳ ରାଷ୍ଟ୍ରବାଦୀ ଜାତୀୟ କଂଗ୍ରେସ (ଏନ୍‌ସିପି) ଉପରେ ଚଡ଼କ ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ମେଣ୍ଟ ସରକାରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିବାବେଳେ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ୧୦୦୦ କୋଟି ଟଙ୍କାର ସଂପତ୍ତି ଆୟକର ବିଭାଗ ଜବତ କରିଛି। ଉପ ନିର୍ବାଚନ ଫଳ ପ୍ରକାଶ ଦିନ ଏହି ଦୁଇଟି ଘଟଣା ମହାରାଷ୍ଟ୍ର ରାଜନୀତିକୁ ଅଧିକ ଚଳଚଞ୍ଚଳ କରିଦେଇଛି।
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ଗତକାଲି ବିଳମ୍ବିତ ରାତିରେ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ‌ଗତକାଲି ଜେରା ପାଇଁ ସେ ଇଡିରେ ହାଜର ହୋଇଥିଲେ। ୧୨ ଘଣ୍ଟାର ଜେରା ପରେ ତାଙ୍କୁ ଇଡି ଗିରଫ କରିଥିଲା ଏବଂ ଆଜି ଇଡି ଦ୍ବାରା ତାଙ୍କୁ ମୁମ୍ବାଇ ସ୍ବତନ୍ତ୍ର କୋର୍ଟରେ ହ‌ାଜର କରାଯାଇଛି। ଇଡି ଦେଶମୁଖଙ୍କୁ ୧୪ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା। କିନ୍ତୁ କୋର୍ଟ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଦେଶମୁଖଙ୍କୁ ରିମାଣ୍ଡରେ ନେବା ପାଇଁ ଅଦାଲତ ଇଡିକୁ ଅନୁମତି ଦେଇଛନ୍ତି।

ପୂର୍ବରୁ ତାଙ୍କୁ ୪ ଥର ସମନ୍‌ କରାଯାଇଥିଲା। କିନ୍ତୁ କୌଣସି ଥର ସେ ହାଜର ହୋଇନଥିଲେ। ଦେଶମୁଖ୍‌ଙ୍କୁ ଜାରି ହୋଇଥିବା ସମନ୍‌ ନୋଟିସ୍‌ ରଦ୍ଦ କରିବାପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିବାବେଳେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାର ୩ ଦିନ ପରେ ସେ ଇଡିରେ ହାଜର ହୋଇଥିଲେ। ଗତକାଲି ଅପରାହ୍ନରେ ଦେଶମୁଖ ଇଡିରେ ହାଜର ହେବା ଘଟଣାରେ ଇଡି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଇଡିରେ ହାଜର ହେବା ପରେପରେ ତାଙ୍କୁ ଜେରା କରାଯାଇଥିଲା। ୧୨ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା।

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଜଡ଼ିତ ୧ ହଜାର କୋଟି ଟଙ୍କାର ସମ୍ପତ୍ତି ଆୟକର ବିଭାଗ ଦ୍ବାରା ଜବତ ହୋଇଛି। ମୁମ୍ବାଇର ଆଇକନିକ୍‌ ନରିମାନ ପଏଣ୍ଟ୍‌ର ନିର୍ମଳ ଟାୱାର ସମେତ ଦିଲ୍ଲୀ, ଗୋଆ ଆଦି ସ୍ଥାନରେ ତାଙ୍କର ୫ଟି ସମ୍ପତ୍ତିକୁ ଆୟକର ବିଭାଗ ଜବତ କରିଛି। ଏକ ଚିନି କାରଖାନା ଏବଂ ଏବଂ ଗୋଟିଏ ରିସୋର୍ଟ ମଧ୍ୟ ସିଜ୍‌ ହୋଇଛି। ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଅଜିତ ପାୱାର ଏବଂ ତାଙ୍କ ପରିବାର ସଦସ୍ୟ ଉପରୋକ୍ତ ‌ବେନାମି ସମ୍ପତ୍ତିର ହିତାଧିକାରୀ। ଗତମାସରେ ଆୟକର ବିଭାଗ ଦ୍ବାରା ହୋଇଥିବା ଚଢ଼ଉ ସମୟରେ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କର ୧୮୪ କୋଟି ଟଙ୍କାର ସମ୍ପତ୍ତିର ହିସାବ ମିଳିନଥିଲା । ଅକ୍ଟୋବର ୭ ତାରିଖରେ ଏହି ସର୍ଚ୍ଚ‌୍ ଅପରେସନ୍‌ ହୋଇଥିଲା। ମୁମ୍ବାଇ, ପୁନେ, ବାରାମତି, ଗୋଆ ଏବଂ ଜୟପୁରର ୭୦ ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ‌ ଅଜିତ ପାୱାରଙ୍କ ଭଉଣୀ, ପୁଅ ଏବଂ ଅନ୍ୟ ସହଯୋଗୀଙ୍କ ସମ୍ପତ୍ତି ଉପରେ ଏହି ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ବିଜେପି ଉପରେ ବର୍ଷିଥିଲେ। ଶରଦ ପାୱାର କହିଥିଲେ, ତାଙ୍କ ପୁତୁରାଙ୍କ ସହ ସମ୍ପୃକ୍ତ ସମ୍ପତ୍ତି ଉପରେ ଚଢ଼ଉ କରିବା କ୍ଷମତାର ଅତ୍ୟଧିକ ବ୍ୟବହାର। ତେବେ ଆମେ ଏଭଳି ଅତିଥି ମାନଙ୍କୁ ଭୟ କରୁନା। ସମ୍ଭବତଃ ଲଖିମପୁର ଖେରି ଘଟଣାରେ ସେ କଡ଼ା ଟିପ୍ପଣୀ ଦେଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥାଇ ‌ପା‌େର ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର