ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଲୋକପାଳ ଆନ୍ଦୋଳନର ମୁଖ୍ୟ ତଥା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ପୁନେସ୍ଥିତ ରୂବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହା ପୂର୍ବରୁ ବି ୨୦୧୯ ରେ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା ଓ ତାଙ୍କର ପୁନେର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।

ଆନ୍ନାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କହିଛନ୍ତି ଯେ, ଥଣ୍ଡା କାରଣରୁ ଆନ୍ନାଙ୍କ ହୃଦୟ ସଂକ୍ରମଣ ହୋଇଛି । ଏହି ସମୟରେ ତାଙ୍କୁ ଚିକିତ୍ସା ସହ ବିଶ୍ରାମ ନେବାର ଆବଶ୍ୟକତା ରହିଛି ।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ପ୍ରଥମେ ଲୋକପାଳ ବିଲ ପ୍ରଣୟନ ନେଇ ଚର୍ଚ୍ଚିତ ହୋଇଥିଲେ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ । ସେତେବେଳେ ସେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଥିଲେ । ତାଙ୍କ ଆନ୍ଦୋଳନରେ ପ୍ରଭାବିତ ହୋଇ ଦେଶର ଅନେକ ଲୋକ ତାଙ୍କ ସମର୍ଥନରେ ବାହାରିଥିଲେ । ପ୍ରଶାନ୍ତ ଭୂଷଣ, ଅରବିନ୍ଦ କେଜ୍ରିୱାଲ, କିରଣ ବେଦୀ ଭଳି ଲୋକମାନେ ତାଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନରେ ବି ବାବା ରାମଦେବ ଭାଗ ନେଇଥିଲେ । ଏହି ଆନ୍ଦୋଳନ ଦେଶର ରାଜନୀତିକୁ ପ୍ରଭାବିତ କରିଥିଲା । ଲୋକମାନେ ଏହି ଆନ୍ଦୋଳନ ଆଧାରରେ ୨୦୧୪ ରେ କଂଗ୍ରେସକୁ କ୍ଷମତଚ୍ୟୁତ କରିଥିଲେ ଓ ନରେନ୍ଦ୍ର ମୋଦୀଙ୍କ ହାତରେ କ୍ଷମତା ଦେଇଥିଲେ ।

ବିଜେପି ସରକାର ଗଠନ କରିବା ପରେ ଆନ୍ନା ହଜାରେ ଲୋକପାଳ ବିଲ ନେଇ ମୁହଁ ଖୋଲିନଥିଲେ । ଆନ୍ଦୋଳନ ଥମିବା, କଂଗ୍ରେସ କ୍ଷମତା ଚ୍ୟୁତ ହେବା ପରେ ଗଣମାଧ୍ୟମ ବି ଆନ୍ନାଙ୍କୁ ନେଇ ବିଶେଷ ଆଲୋଚନା କରିନଥିଲା ।

ସମ୍ବନ୍ଧିତ ଖବର