ସେନା ହେଲିକପ୍ଟର ଦୁର୍ଘଟଣା, ୫ ମୃତ

ଗୌହାଟୀ : ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାରେ ଶୁକ୍ରବାର ଦିନ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା‌ ଫଳରେ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଏଏଲଏଚ (ଆଡଭାନ୍ସଡ ଲାଇଟ ‌ହେଲିକପ୍ଟର) ‘ରୁଦ୍ର’ ସିଙ୍ଗିଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଥିଲା। ଅତି ଦୁର୍ଗମ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି। ସ୍ଥଳ ସେନା ଏବଂ ବାୟୁସେନାର ୩ଟି ମିଳିତ ଟିମ୍‌ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଥିଲେ। ପ୍ରଥ‌ମେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଏବଂ ପରେ ଅନ୍ୟ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଉଲ୍ଲେଖଯୋଗ୍ୟ, ସେନା ସଦସ୍ୟମାନେ ଆଜି ସକାଳେ ଲିକାବାଲି ନିକଟରୁ ରୁଟିନ ଉଡ଼ାଣରେ ବାହାରିଥିଲେ। ପୂର୍ବାହ୍ନ ୧୦.୪୩ ସମୟରେ ଏହି ଦୁର୍ଘଟଣା ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅରୁଣାଚଳପ୍ରଦେଶରେ ଚଳିତ ଅକ୍ଟୋବରରେ ଏହା ଦ୍ବିତୀୟ ହେଲିକପ୍ଟର ଦୁର୍ଘଟଣା। ଚଳିତ ମାସ ଆରମ୍ଭରେ ଅକ୍ଟୋବର ୫ରେ ମଧ୍ୟ ଏକ ହେଲିକପ୍ଟର ତୱାଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ‌ହୋଇଥିଲେ।

ସମ୍ବନ୍ଧିତ ଖବର