ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ରେଖା ନିକଟରେ ବିସ୍ଫୋରଣ, ସେନାର ମେଜର ଓ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ଘଟଣାରେ ଭାରତୀୟ ସେନାର ଜଣେ ଯବାନ ଓ ଜଣେ ମେଜର ସହିଦ ହୋଇଛନ୍ତି। ଏହା ବ୍ୟତୀତ ଜଣେ ଜୁନିଅର କମିସନଣ୍ଡ ଅଧିକାରୀ ଏବଂ ଜଣେ ଯବାନ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଧାମାକା ରାଜୌରୀ ଜିଲ୍ଲାକୁ ଲାଗି ଥିବା ନିୟନ୍ତ୍ରଣ ରେଖା ନିକଟ ପୁଖେରନୀ ଅଂଚଳରେ ରୂପମତି ଛନ ପାଖରେ ଘଟିଛି।

ଜଣେ ଅଧିକାରୀ କହିଛନ୍ତି, ସଦିଗ୍ଧ ଆତଙ୍କବାଦୀ ରାଜୌରୀ ଜିଲ୍ଲାର ଲାମ ସେକ୍ଟରରେ ସୀମାରେ ଗସ୍ତ କରୁଥିଲେ। ସୈନିକଙ୍କୁ ଟାର୍ଗେଟ କରି ନିୟନ୍ତ୍ରଣ ରେଖାକୁ ଲାଗି ବିସ୍ଫୋରଣ ହୋଇଛି। ସେ କହିଛନ୍ତି ବିସ୍ଫୋରଣରେ ଜଣେ ଜେସିଓ ସମେତ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀ କହିଛନ୍ତି, ପାକିସ୍ତାନୀ ସେନା ତରଫରୁ ହୋଇଥିବା ବିସ୍ଫୋରଣ ଓ ଆକ୍ରମଣ ନେଇ ସେନାର ଯବାନମାନଙ୍କୁ ସତର୍କ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଏହି ଘଟଣା ବ୍ୟତୀତ ଶୁକ୍ରବାର ଆତଙ୍କବାଦୀମାନେ ଶ୍ରୀନଗରସ୍ଥିତ ଲାଲ ଛକରେ ପଲାଡିୟମ ସିନେମା ନିକଟରେ ବଙ୍କର ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ। ଏହି ଘଟଣା କରିଥିବା ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ଏହି ଘଟଣାରେ କେହି ଆହତ ହୋଇ ନଥିଲେ।

ସମ୍ବନ୍ଧିତ ଖବର