୧୫ ଦିନ ଭୀଷଣ ଯୁଦ୍ଧ ପାଇଁ ସେନା ଅସ୍ତ୍ର, ଗୁଳିଗୋଳା ଠୁଳ କରିବ

ନୂଆଦିଲ୍ଲୀ : ସମ୍ପ୍ରତି ଭାରତୀୟ ସେନାବାହିନୀ ପାଖରେ ୧୦ ଦିନ ଅତିଶୟ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରହିଥିବା ବେଳେ ସମ୍ଭାବ୍ୟ ୧୫ ଦିନିଆ ଦ୍ବିପାକ୍ଷିକ ଭୀଷଣ ଯୁଦ୍ଧ ପାଇଁ ଆବଶ୍ୟକ ଗୁଳିଗୋଳା ଓ ଯୁଦ୍ଧାସ୍ତ୍ର ଠୁଳ କରିବା ପାଇଁ କୁହାଯାଇଛି ବୋଲି ଜଣେ ବରିଷ୍ଠ ସେନାଧିକାରୀ ସୂଚନା ଦେଇଛନ୍ତି। ସେହିପରି ପ୍ରତି ବାହିନୀର ଆର୍ଥିକ କ୍ଷମତାକୁ ମଧ୍ୟ ୫୦୦ କୋଟି ଯାଏ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଏଥି ସହିତ ପ୍ରତି ବାହିନୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ନିଜର ଆଶୁ ଆବଶ୍ୟକତା ପୂରଣ କରିବା ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି। ଏହାଦ୍ବାରା ଶତ୍ରୁପକ୍ଷର କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ମିଳିତ ସେନାର ଆକ୍ରମଣ ଶାଣିତ ହେବା ସହ ତାହା ପୂର୍ବାପେକ୍ଷା ଅଧିକ ଦିନ ଧରି ତିଷ୍ଠିପାରିବ ବୋଲି ଆଶା କରାଯାଉଛି।

ବହୁ ପୂର୍ବରୁ ସ୍ଥଳସେନାକୁ ୪୦ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଥିଲା। ତେବେ ଗୋଳିଗୋଳା ଗଚ୍ଛିତ କରିବାରେ ସମସ୍ୟା ଏବଂ ଯୁଦ୍ଧ ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ୧୦ ଦିନ ପାଇଁ ଆବଶ୍ୟକ ସରଞ୍ଜାମ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ କରାଯାଇଥିଲା। ମାତ୍ର ଉରି ଆକ୍ରମଣ ପରେ ଗଚ୍ଛିତ ଥିବା ଗୁଳିଗୋଳା ଯଥେଷ୍ଟ କମ୍‌ ବୋଲି ଅନୁଭୂତ ହୋଇଥିଲା। ଫଳରେ ସେତେବେଳେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ପ୍ରତି ବାହିନୀର ଆର୍ଥିକ କ୍ଷମତାକୁ ଶହେ କୋଟିରୁ ୫୦୦ କୋଟି ଯାଏ ବଢ଼ାଇ ଦେଇଥିଲେ। ଏବେ ପ୍ରତି ବାହିନୀ କୌଣସି ଦ୍ବିପାକ୍ଷିକ ଯୁଦ୍ଧର ୧୫ ଦିନିଆ ପ୍ରସ୍ତୁତି ପାଇଁ ଆବଶ୍ୟକ ସରଞ୍ଜାମ ମହଜୁଦ କରି ଚାଲିଥିବା ଜଣାଯାଇଛି। ସୂଚନା ଥାଉ କି, ମୁଖ୍ୟତଃ ଉତ୍ତର ପଟୁ ଚୀନ୍‌ ପକ୍ଷରୁ ଜାରି ରହିଥିବା ଅସ୍ଥିରତା ଚରମ ରୂପ ନେବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ସେନାବାହିନୀକୁ ଏପରି ନିର୍ଦ୍ଦେଶ କରାଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର